Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

3  

Hrushikesh Satpathy

Others

ପଣତ

ପଣତ

1 min
215


ପଣତ,ତୁହି ଲୋ ପୁଣ୍ୟ ପରମ୍ପରା
ଆଭିଜାତ୍ୟ, ଅଳଙ୍କାର ।
ବେଦଜନ୍ମା ପ୍ରଥା, ପ୍ରଥିତଯଶା ଲୋ
ନାରୀ ଅଙ୍ଗେ ତୁ ସୁନ୍ଦର ।

ନାରୀ ସୁଲଭତା ମାନ ସଂଭ୍ରମତା
ବିଧିରେ ବଢ଼ାଇ ଥାଉ ।
ଅଙ୍ଗ ତୀର୍ଥେ ତା'ର ଆଭୂଷଣ ହୋଇ
ଝରାଉ ଲାବଣ୍ୟ ମହୁ ।

ଲାଜରେ ନରମୁଁ ନରମି ସରମୁଁ
ମମତାର ମନ୍ଦାକିନୀ ।
ସଂଯମତା ଦେଉ ଶାଳୀନତା ଦେଉ
ଅଭିମାନେ ତୁ ମାନିନୀ ।

ମାଆ ପଣତ ତୁ ଲକ୍ଷେରେ ଗୋଟିଏ
ଶୁଭ୍ର ସତୀ ଶିରୋମଣି ।
ଜନନୀ କୋଳର ସୁଦିବ୍ୟ ସଂକେତ
ପ୍ରୀତିର ପରଶ ମଣି ।

କେତେବେଳେ ଭିଜୁ ଦୁଃଖ ଦରିଆରେ
କେବେ କେବେ ହସୁଥାଉ ।
ଲାସ୍ୟ ମୟୀ ତୁହି ହାସ୍ୟ ମୟୀ ହୋଇ
ହେଉ ମମତାର ଢେଉ ।

ବୋହୂର ମଥାରେ ସାଇତା ସୀତା ତୁ
ଓଢଣୀ ର ରୂପ ନେଇ ।
ସିନ୍ଦୁରର ଶୋଭା ଦ୍ୱିଗୁଣିତ କରୁ
ସଂଭ୍ରମତା ଭରିଦେଇ ।

ଭଗିନୀ ପଣତ ଭାଇ ମନ ମିତ
ଗେଲ୍ହେଇ ସାଜି ତୁ ଉଡୁ ।
କର୍ମରେ ମର୍ମରେ ଛତ୍ର ଛାୟା ହୋଇ
ଭାଇ ପାଇଁ ବନ୍ଧା ପଡୁ ।

ପଣତ,ସତେ ଲୋ କେଡେ ନିରୀମାଖି
ସମ୍ମାନ, ପୁଣ୍ୟ ମନ୍ଦିର ।
ପ୍ରଣତି ବାଢୁଛି ଵିନମ୍ର ମନରେ
ଶୁଭାଶିଷ ମାଗେ ତୋ'ର ।


Rate this content
Log in