ସାର୍ଥକ ଶାସ୍ତ୍ର
ସାର୍ଥକ ଶାସ୍ତ୍ର
ଯାହା ପାଇଁ ମୋର କବିତା ଝରଇ
ସେ "ପ୍ରେରଣା" ଯେବେ
ପ୍ରଣୟୀ ହେବ ।
ଅଳ୍ପାୟୁ ହୋଇ ବି ଆୟୁଷ ବଢିବ
ଅମାବାସ୍ୟାରେ ବି
ଜହ୍ନ ହସିବ ।
ପ୍ରେରଣା କାହାରି ପ୍ରଣୟୀ ହେବାରେ
ନୁହେଁ ଅପରାଧ
ନୁହେଁ ଛଳନା ।
ପ୍ରେରଣା,ପ୍ରଣୟୀ, ଉଭୟେ ମୃଣ୍ମୟୀ
ଉଭୟେ ମହତ,
ଚାରୁ ଲଳନା ।
ପ୍ରେରଣା କେବେ ବି ସଂକୀର୍ଣ୍ଣ ନ ଥାଏ
ବିଶାଳତା ନେଇ
ଅଙ୍କୁରିଥାଏ ।
ପ୍ରଣୟୀ ରୂପରେ ପ୍ରିୟତମ ପାଇଁ
ପ୍ରଶସ୍ତ ପରିଧି
ବିସ୍ତାରି ଦିଏ ।
ଛଳର ବେଭାର ମିଥ୍ୟା ଅହଙ୍କାର
ନୁହେଁ ଅଳଙ୍କାର
ପ୍ରେରଣା ପାଇଁ ।
ସତ୍ୟର ସେତୁରେ ନିଷ୍ଠା ନୈବେଦ୍ୟରେ
ସୃଜନୀ,ସ୍ରଷ୍ଟାଙ୍କୁ
ନିଏ କୋଳେଇ ।
ପ୍ରତି ମଣିଷର ଉନ୍ନତି ମୂଳରେ
ଉନ୍ନୀତ ପ୍ରେରଣା,
ମାର୍ମିକ ସତ୍ୟ ।
ପ୍ରେରଣା ବିହୀନ କୃତି ଅସମ୍ପୂର୍ଣ୍ଣ
ମଣିଷ ମହତ୍ତ୍ୱ
ହୁଏ ଅସତ୍ୟ ।
ପ୍ରେରଣା ସ୍ପନ୍ଦନ ପ୍ରେରଣା ବନ୍ଧନ
ପୂର୍ଣ୍ଣ ସଫଳତା
ପବିତ୍ର ମନ୍ତ୍ର ।
ବେଦ ଓ ବେଦାନ୍ତ ପ୍ରେରଣା ଅନନ୍ତ
ବେଦ ହିଁ ପ୍ରଣୟୀ
ସାର୍ଥକ ଶାସ୍ତ୍ର ।
ହେ ସ୍ରଷ୍ଟା, ମହାନ୍, ପ୍ରେରଣା ପ୍ରଣୟେ
ଅନୁପ୍ରାଣା ହୋଇ
ସୃଜନୀ ଯାଅ
ପ୍ରଣୟରେ ଭରା ସଂସ୍କାରର ଛିଟା
ଦୁନିଆ ଦୁଆରେ
ଛିଟାଇ ଦିଅ ।