ନିର୍ଲିପ୍ତ
ନିର୍ଲିପ୍ତ
ସବୁ କିଛି ଅନୁଭବି ସାରିଲା ପରେ
ପ୍ରେମ ଆଉ ପ୍ରତାରଣା ଭିତରେ ଫରକ୍ କିଛି ନାଇଁ,
ସ୍ଵପ୍ନ ସବୁ ସେମିତି ସତେଜ ଥାନ୍ତି
ଏତେ ବଡ ଆଘାତରେ ବି ଝାଉଁଳି ଯାଆନ୍ତି ନାଇଁ।
ପ୍ରେମରେ ପଡିସାରି ଆଉ କଣ କରିହୁଏ
ହିସାବ ନିକାଶ ଭୁଲ୍ ହେଲା କି ଠିକ୍ ହେଲା ବୋଲି
କିଏ କହେ ଏଇଟା ତୁଛା ବୋକାମୀ
ପୁଣି କିଏ କହେ ଅଜ୍ଞାନତାର ଫଳ ଏମିତି ଯାଏ ଫଳି ।
ହୃଦୟ କିନ୍ତୁ ସେମିତି ଭଲ ହିଁ ପାଉଥାଏ
ଆଉ ଭୁଲି ଯାଉଥାଏ ନିଜର ଅନ୍ତରର 'ତ୍ଵ'ଟିକୁ
ବିସ୍ତରି ଯାଉଥାଏ ଦିନ ପରେ ଦିନ
ବାଣ୍ଟି ଦେଉଥାଏ ତା ଭିତରୁ ଝରୁଥିବା ଅମୂଲ୍ୟ ମଧୁକୁ ।
ସବୁ କିଛି ଅନୁଭବି ସାରିଲା ପରେ
କେମିତି ଲାଗିଲା ବୋଲି କୈଫିୟତ୍ ଦେବାକୁ ବି ହୁଏ
କାହାକୁ ନୁହେଁ ନିଜ ଭିତରେ ଥିବା
ନିଜସ୍ଵ ପରିଚୟଟି ଯେତେବେଳେ ନିଜକୁୁ ଖୋଜିଥାଏ ।।