ଉପମାକ୍ଷୀ
ଉପମାକ୍ଷୀ
ବୈଶାଖୀ ଆକାଶେ ଧବଳ ବାରିଦ
ଯେହ୍ନେ ସାଗରେ ବୋଇତ,
ବାରୁଣୀ ଗଗନେ ଅସ୍ତାଚଳ ରବି
ବାଢିଲେଣି ଦଣ୍ତବତ ॥
ଆଖି ମଳିଲାଣି ଗୋଧୂଳୀ ରମଣୀ
ସଂଜ ଆରତୀ ବାସରେ,
କଳାପାଟ ଶାଢୀ ପିନ୍ଧିବ ଧରଣୀ
ସଂଜ ଶୀତଳ ସମୀରେ ॥
ସଂଜୁଆ ଶିଆଳେ ସାଜିଲେଣି ଭାଟ
ରଜନୀରାଣୀ ସ୍ୱାଗତେ,
ଝିଂକାରୀ ବଜାଏ ସ୍ୱାଗତ ରାଗିଣୀ
ରାତ୍ରୀରାଣୀ ଅନୁଗତେ ॥
ସବୁଜ ପଲ୍ଲବେ ଧୀର ସମୀରଣ
ମୃଦୁ ସ୍ୱାଗତ ସଂଗୀତେ,
ଧରଣୀକୁ ବାଢି ମୃତ୍ୟୁ ସଂଜୀବନୀ
କ୍ରାନ୍ତିକାରୀ ଏ ଜଗତେ ॥
ଉଷ୍ମ ନୀଡ ଝୁଲେ ଶୀତଳ ସମୀରେ
ସତେ କି ସେ ରଜ ଦୋଳି,
ମାଆର ଚଂଚୁରେ ଶାବକର ଚଂଚୁ
ଅବା ବଇଶାଖି କେଳି ॥
ମଲ୍ଲୀର ସୁବାସେ ଅଳସ ଧରଣୀ
ସଜାଇଛି ମଧୁବାସ,
ଚଇତି ପରବେ ଜାତି ନନ୍ଦିଘୋଷ
ସତେ ପରବ ଉଆସ ॥
ଚମ୍ପା କଢି ଯେହ୍ନେ କର୍ଣ୍ଣର କୁଣ୍ତଳ
ସତେ ବସୁନ୍ଧରା ପିନ୍ଧି,
ନବ ବଧୂ ସାଜି ମଉନେ ବସିଛି
ଶଶୀ ତା ସୀମନ୍ତ ବିନ୍ଦି ॥