ପ୍ରେମଭାଷା
ପ୍ରେମଭାଷା
ଥାଉ;
କିଛି ଆଉ କୁହନାହିଁ ପ୍ରିୟା,
କହିଲେ ଏମିତି ତମେ
କେତେ କହିବ ଯେ
ଭାବୁଛ କଥା ସରିଯିବ !
ଯେତେ ଯେତେ କହୁଥୁବ
କହିବାକୁ ଥିବା କଥା
ସେତେ ଲମ୍ବୁଥିବ।
ପୁଣି,
କହିକହି ଥକିଲା ବେଳକୁ
ଦେଖିବ,ସବୁ ବାକିଥିବ।
ମୁଁ'ତ କହିବି ପ୍ରିୟା,
ଭାରି ଭଲ ହେବ
ଯଦି ତୁମେ ଚୁପଚାପ ବସିଯିବ
ମୁହୂର୍ତ୍ତ କେଇଟା ମାତ୍ର
ମୋ'ଆଖିରେ ଆଖିକୁ ମିଶେଇ,
ପଲକରେ ଖୋଜି ତମ ହୃଦୟର
କୋଣ ଅନୂକେ।ଣ
ଗୋଟାଇ ଆଣିବି
ଦୁଃଖ ,କ୍ଳେଶ,ଅବସାଦ ,
ଅବ୍ୟକ୍ତ ଆବେଗ ଆଦି
ଯେତେ ଯାହା ଥିବ ।
ବୁଝେଇ ବସିବି ଯଦି
କେତେ ଅବା ବୁଝେଇ ପାରିବି !
ଯେତେବେଶି ବୁଝେଇବି
ତମେ ଖାଲି 'ହଁ' ମାରିମାରି
କିଛିଟିକେ ବୁଝିନାହଁ ବୋଲି
ଶେଷକୁ କହିବ।
ସବୁଯାକ ବୁଝିବା ପରେବି
ଆହୁରି ବହୁତ୍ କିଛି
ବାକି ରହିଯିବ ।
ପ୍ରେମୀ ମନ ସେଇମିତି ପ୍ରିୟା,
ଶବ୍ଦର ପ୍ରୟେ।ଜନ ନାହିଁ
କହିବା-ବୁଝିବା ପାଇଁ
ବାସ୍,
ନିଃଶବ୍ଦରେ ମୁହୂର୍ତ୍ତକ ପାଇଁ
ଅବରୁଦ୍ଧ ହୃଦୟର ଦ୍ୱାର ମେଲିଦେଲେ
ସେ ସବୁ ସ୍ୱତଃ ହେଇଯିବ।