କବିର ସ୍ୱରୂପ
କବିର ସ୍ୱରୂପ
କରିଛନ୍ତି ଲକ୍ଷ୍ୟ କେବେ ?
ବୃକ୍ଷରେ ଥିବା, ଅବା ....
ମୁକ୍ତ ଗଗନରେ ଉଡିବୁଲୁଥିବା
ଶୁଆ,ଶାରୀଙ୍କୁ,
ଶୁଣିଛନ୍ତି କେବେ ତାଙ୍କ କଥା କି ଗୀତ?
ପଞ୍ଜୁରୀରେ ହେଲେ ବନ୍ଦୀ, କାହିଁକି
ବୋଲନ୍ତି ମଣିଷର ଭାଷା ଓ ସଙ୍ଗୀତ !!!
ଧୀ ସମ୍ପନ୍ନ ବ୍ୟକ୍ତି, ସହ୍ୟ କରେ...
ମଉନ ରହେ,
ଥାଏ କିନ୍ତୁ ତା'ର ସୀମାବଦ୍ଧନ,
ଲଂଘିଲେ ଅନ୍ୟାୟର ପ୍ରାନ୍ତ...
ଦେଖିଲେ ନିର୍ଯ୍ୟାତନା, ଉତ୍ପୀଡନ
କରେ ସେ ସମାଜରେ ସ୍ୱରୋତ୍ତଳନ ।
କରିବାକୁ ପରିପ୍ରକାଶ ଅନ୍ତର୍ସ୍ୱର,
ବାକ୍ୟ ନୁହେଁ, ଚିତ୍କାର ନୁହେଁ...
ଯେ ସାହାଯ୍ୟ ନିଏ ଲେଖନୀର,
କଲମ ମୁନରେ , କରିପାରେ ବିସ୍ଫୋରଣ
ସେ ହିଁ କବି,ଆଣିପାରେ ପୁଣି
ଶାନ୍ତିର ସ୍ରୋତ ଓ ପରିବର୍ତ୍ତନ ।
ସତେକି ପିଞ୍ଜରା ଭିତରେ,
ପାରିପାର୍ଶ୍ଵିକ ପରିସ୍ଥିତିର...
ଅବା....ଅନ୍ୟାୟ ସହି ନ ପାରିଲେ,
କେବେ ଅନ୍ତର୍ବେଦନା ଜ୍ଞାପନ କରିବାକୁ,
ସମାଜକୁ ଦେବାକୁ ଶାନ୍ତିର ମନ୍ତ୍ର...
ହୃଦୟର ଭାଷା ନିଏ ସଙ୍ଗୀତର ରୂପ ,
ମଣିଷ, ଲବ୍ଧକରେ କବିର ସ୍ୱରୂପ!!!!