ସନେଟ -୨୮
ସନେଟ -୨୮
କେବେ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଭକ୍ତି ପ୍ରୀତି କର୍ମ ଅବା ସନ୍ନ୍ୟାସ ବୈରାଗ୍ୟ
ପାରିବକି ବଦଳାଇ ମମହୀନ ଭାଗ୍ୟ ? ।।
ପାରୁନାହିଁ ବୁଝି କେଉଁ ଗମଥେ ଗମିଲେ
ଚିର ପୋଷା ଆଶା ହେବ ପୂର୍ଣ୍ଣ ସହଜରେ ।।
ନ ପାରଇ ଚିନ୍ତି, ପାରୁନାହିଁ ରଖି ଲୟ
ବିଚଳିତ ମତି ଯେଣୁ ରହୁ ନାହିଁ ଥୟ ।।
ନିଜେ ମୁଁ ନିଜକୁ ତିଳେ ପାରୁ ନାହିଁ ଚିହ୍ନି
ଜଳେ କିନ୍ତୁ ହୃଦ ମଧ୍ୟେ ଆକାଂକ୍ଷାର ବହ୍ନି ।।
ଅଧମର ଘଟପ୍ରଭୁ ! ଗଢ଼ିଅଛ ତୁମେ
ନ ଲଭି ତୁମ୍ଭଙ୍କୁ ମୁଁ ଯେ ଇତସ୍ତତଃ ଭ୍ରମେ ।।
ତୁମ ଦିଆ ଜ୍ଞାନାଲୋକ ମିଟି ମିଟି ଜଳେ
ତେଣୁ ପଥ ଦିଶୁନାହିଁ ମାନସ ଚକ୍ଷୁରେ ।।
କେବେ ତେବେ ଦେବ ଦିବ୍ୟ ଅକ୍ଷ ଅଧମକୁ
ଘୁଞ୍ଚିବ ଅଜ୍ଞାନ ତମ ଦେଖିବି ତୁମକୁ ।।
ସମାପ୍ତ