ବାଙ୍କିରୁ ବୈକୁଣ୍ଠ ବାଟ ଖୋଜୁଖୋଜୁ
ମଣିଷ ରୁ ମାଟି ହେଲି ବୋଲି
ମୋ ଛାତିରେ
ବୈକଳ୍ପିକ ପଥ ଆଙ୍କିଦେଲି...
ଲୁହ ର ଲୁଣ କୁ ଚାଖୁଚାଖୁ ପୁଣି
ଲେଖକ ଟେ ହୋଇ ଲୋଟି ଗଲି
ପାଠାଗାରେ
ଅଳନ୍ଧୁ ଥାକ ରେ ଶୋଇଗଲି...
ମାଙ୍କଡସା ଜାଲେ ମହକ ମଖେଇ
ମାନବତତ୍ତ୍ୱ କୁ ଭୁଲିଗଲି
ମିଛେମିଛେ
ମଧୂଗନ୍ଧା ପ୍ରେମେ ବୁଡିଗଲି...
ମଧୂମୟ ବେଳ ମଧୂରାନ୍ତକ ରେ
ମଧ୍ୟମ ମାସରୁ ମିଶିଗଲି
ଥୁଣ୍ଟା ଡାଳେ
ମଧୂଫେଣା ହୋଇ ଝୁଲୁଥିଲି...
ନଇଁ ପଡୁଥିଲା ଉଡନ୍ତା ସପନ
ନିଷ୍କ୍ରିୟ ନକଲ ନିବେଶିଲି
ପ୍ରଜାପତି
ମୁନିଆ ଶୁଣ୍ଢ ର ପ୍ରେମ ସହିଲି..
ମଲାଟ ରେ ଗଢା ଅର୍ଦ୍ଧ ସମ୍ପର୍କ କୁ
ଅଙ୍ଗାରେ ଗାରେଇ ରଖିଥିଲି
ଅବେଳରେ
ଖେଳନା ଟେ ପରି ଭାଙ୍ଗି ଗଲି..
ଆଶା ସ୍ୱପ୍ନ ସବୁ ଥୁଣ୍ଟା ବର ଗଛେ
ଅଶରୀରୀ ସମ ଟାଙ୍ଗିଦେଲି
ମୂଲ ତାର
ତକିଆ ଖୋଳପା କରିନେଲି..
ବୈଜ୍ଞାନିକ ପରି ସମ୍ପର୍କ ଭିତରେ
ଅଣୁ-ପରମାଣୁ ବାଛୁଥିଲି
ପ୍ରଦୂଷଣେ
ହିରୋସୀମା ବାସିନ୍ଦା ସାଜିଗଲି..
ହାଟ ରୁ ଗୋଟେଇ ବାଟ ସଉଦା ମୁଁ
ଆଣ୍ଟ ଥିବା ଯାଏ ଅଣ୍ଟି ଭରିଲି
ଭଙ୍ଗା ଗୋଡ
ଭରଷା ଆସନ ହେବ ବୋଲି..
ଭୁଷୁଡି ଗଲା ସେ ବାଇଆ ବସା ଟା
ଜହ୍ନ ଆଲୁଅ ରେ ଶେକି ହେଲି
ଖୋଲାମଞ୍ଚେ
ପରାଜିତ ନାୟକ ନାମ ବୋହିଲି..
ବୁଝୁବୁଝୁ ବେଳ ବାଟ ବାଛିନେଲା
ପଥପ୍ରାନ୍ତେ ଏକା ରହିଗଲି
ଅଭିଶପ୍ତ
ବିସ୍ମୃତି ର ରଙ୍ଗ ବୋଳିହେଲି..
ବାକି ନାହିଁ ଲୁହ ନଚାଳି ହାତରେ
ଗୁପ୍ତ ଗଙ୍ଗା ଦେହେ ସମର୍ପିଲି
ଛାତିହାଡ
ଭାଙ୍ଗି ଦେଇ ଘର ଖୁଣ୍ଟ କଲି..
ଚଉଦ ବ୍ରହ୍ମାଣ୍ଡ ଟିକି କୁଡିଆ ରେ
ଥାକ ଥାକ କରି ଥୋଇଦେଲି
ବିଶ୍ୱକର୍ମା
ମନ ନେଇ ଶେଷ ଚୁଳ ଛାଡି ଦେଇ
ଅନ୍ତିମ ବିଦାୟ ଆଜି ନେଲି..
ଶୁନ୍ ଫୁଟୁକା ର ଜୀବନ କୁ
ତୁମ ପାଖେ ନିଜେ ସମର୍ପିଲି
ମହାବାହୁ
ତୁମ ଅବୁଝା ପୁଅକୁ କୋଳେ ନେବ ବୋଲି..