ମିଛ ସତ
ମିଛ ସତ
ଆସିଥିଲି କ'ଣ ଏ ଧରା ଧାମକୁ
" ମିଛ " କହି ବଞ୍ଚିବାକୁ!
ଅନ୍ତରେ ବିଷ ଓଠରେ ପୀୟୂଷ
ଛଳନାରେ ଜଳିବାକୁ !
ସତ କହି ଦେଲେ - ସୁନାର ସଂସାର
ଉଜୁଡିବ ଫୁଲ ବନ,
ସତ କହି ଦେଲେ - ପ୍ରେମ କୁସୁମରୁ
ଖସିବ ପାଖୁଡା ମାନ ,
ପ୍ରେମ ପାଇଁ " ମିଛ " - ସତ ଠାରୁ ବଡ -
ଦୁନିଆରେ ଜୀଇବାକୁ ।
ସତ କହି ଦେଲେ - ପ୍ରେମିକ ଆଖି ରେ
ଘୋଟିବ ସଂଦେହ ଛାଇ
ସତ କହି ଦେଲେ - ପ୍ରେମିକା ଜୀବନେ
ସଂଧ୍ୟା ଆସିବ ନଇଁ ,
ପ୍ରେମ ହୋଇ ଯିବ ଇତି
ଲୁହ ବଦଳରେ ରକତ ଝରିବ
ଦହଗଞ୍ଜ ପ୍ରେମ - ପ୍ରୀତି ।
ତଥାପି ଏ " ମିଛ " ସତ ଠାରୁ ବଡ -
ଦୁନିଆରେ ଜୀଇବାକୁ ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ