କବିତା!
କବିତା!
କବିତା!
କେବେ ସେ
ନିଃଶବ୍ଦ କୋହର
ଶ୍ରାବଣୀ ଅକାଶ ,
କିଛି ଅକୁହା ଆବେଗର
ମୌନ ପ୍ରକାଶ!
ଲୋଚାକୋଚା ସାଧା କାଗଜରୁ
ଭାଂଗ ଲୁଚାଇବାର ଚେଷ୍ଟା
ରଫ୍ ଖାତାର କିଛି
ଖଣ୍ଡିଆ ଛବିକୁ ରୁପରେଖ
ଦେବାର ପ୍ରଚେଷ୍ଟା!
କବିତା!
ନିଜ ଭିତରେ ନିଖୋଜ
ମୁଁ ର ତଲାସ,
ଭିଡ ଭିତରେ ବି
ବାରି ହେଇଯିବାର ପ୍ରୟାସ!
ଜାରଜ ଇଛା ସବୁର ସେ
ଶାସ୍ତ୍ରୀୟ ସଂଗୀତ!
ମଲା ନଈର କଳ୍ପିତ
ଧାରେ ସରୁ ସ୍ରୋତ!
ନିଷିଦ୍ଧ ସ୍ବପ୍ନ ଇଲାକାରେ
ବିଚରଣ କରିବାର ଆଳ!
ସାଉଁଟା ଝାଉଁଳା ଆଶା ଓ
ବିଶ୍ବାସର ଜୟମାଳ!!
କବିତା!
ସେ ଯେ ସମୟ ପାଉଁଶ ତଳୁ
ସେ ସାଉଁଟେ ଜୀବନ,
ଅବ୍ୟକ୍ତ କାହାଣୀର
କରେ ପିଣ୍ଡ ଦାନ!
ଅଧା ଗଢା ଦେଉଳରେ
କରେ ଉପାସନା,
ଦେବଦାସୀ ପରି ନାଚି ଗାଇ
ହୁଏ ଆନମନା
ମୋ କବିତା!
ଜୀବନ ପାଣ୍ଡୁଲିପିର
ମୁଖବନ୍ଧ ପୃଷ୍ଠା !
ସେ ତ ଜୀବନକୁ
ନିଜ ଢଂଗରେ
ଜୀବିତ ରଖିବାର ଚେଷ୍ଟା!