ସଭିଙ୍କୁ କରଇ କ୍ଷମା
ସଭିଙ୍କୁ କରଇ କ୍ଷମା
ଜନନୀ ଜନମ ଭୂମି ମମତାମୟୀ ମାଆ
ଯେତେ ଯାହା ଭୁଲ୍ କଲେ ସଭିଙ୍କୁ କରଇ କ୍ଷମା
ତା ଛାତିକୁ ଖୋଳି ତାଡି ତୋଳିଛୁ ଆମର ବାସ
ତା ବୁକୁକୁ ଚିରି ଆମେ ଉତ୍ପାଦନ କରୁ ଶସ୍ୟ
ନଭଶ୍ଚୁମ୍ଵୀ ଅଟ୍ଟାଳିକା ଗଢିଛୁ ତା ଛାତି ପରେ
ଗଗନ ଭେଦି ପାଦପ ଠିଆ ରହିଛନ୍ତି ଧିରେ
ଓଜନର ଭାର ବହି ବିଚଳିତ ନୁହେଁ ଜମା...... I
ପଚା ସଢ଼ା ମଳ ମୂତ୍ର ତାହାର ଭାରି ଆଦର
ପ୍ରତି ବଦଳରେ ଦିଏ ସ୍ଵାଦିଷ୍ଟ ଶସ୍ୟ ଆହାର
ଦଶମାସ ଦଶ ଦିନ ଗରଭେ ଧରିନି କାରେ
ଯଶୋଦା ପରି ପାଳିଛି ଯେତେ ପ୍ରାଣୀ ଏ ଧାରାରେ
ସଭିଙ୍କ ଅଳି ଅର୍ଦ୍ଦଳି ମୁଣ୍ଡ ପତି ସହେ ସିନା..... I
ଜଗତର ହିତ ପାଇଁ ଗରଭେ ଧରିଛି ଧନ
ରୁଧିର ପରାୟେ ଜଳ ଜୀବ ଜଗତ ଜୀବନ
ତାର ଅସ୍ତି ମଜ୍ଜା ପୁରି ରହିଛି ଅପାର ଶକ୍ତି
ସମୂହ ଜୀବ ଜଗତ ଶୋଷଣ କରନ୍ତି ନିତି
ଏତେ ଶକ୍ତି ଥାଇ ସୁଦ୍ଧା ଗର୍ଵରେ ଟପିନି ସୀମା..... I
ତା ସହିଷ୍ଣୁତା ଗୁଣ ଆଗେ ସଭିଏଁ ନଇଁଲେ ମଥା
ସମୀର ଚାମର ଧରି ହାରିଲା ତା ତନୁ ବ୍ୟଥା
ତପନ ଢାଳିଲେ କର ଦିବସ କରିଲେ ଦୀପ୍ତି
ନିଶିରେ ଶଶା ବୁଣିଲେ ଶୀତଳ ଧବଳ ଜ୍ୟୋତି
ଜଳଦ ସିଞ୍ଚିଲେ ଜଳ ଜଗତ ପୂଜିଲା ହେମା... I
ହେମା - କଳା ସୁନା (ମାଟି )