ଫଟା ଜୋତା
ଫଟା ଜୋତା
ଖଡଖଡିଆ ତ ନେଇଥିଲୁ ଟଙ୍କା
କଲୁ କିଆଁ ଧପାବାଜି
ତୋର ଦିଆ ଜୋତା ଫାଟିଗଲା ଚାଲି
ପରଖି ଦେଖରେ ପାଜି ।
ଏତେ ବି ଚାଲିନି ତଥାପି କାହିଁକି
ଜୋତା ମୋର ଗଲା ଫାଟି
ଚମଡା ଛାଡି ଏ ଆଗରୁ ଦେଖିଲେ
ଲାଗୁଛି କୁମ୍ଭୀର ପାଟି ।
ଭାସ୍କୋଡାଗାମାର ଗୋଆ ଦେଖି ମାତ୍ର
ପାନିପଥ ଯାଏଁ ଗଲି
ସିଦ୍ଧାର୍ଥ ନଗରୁ ହର୍ଷବର୍ଦ୍ଧନଙ୍କ
ଗାଆଁରେ ପ୍ରବେଶ କଲି ।
ଚନ୍ଦ୍ରଗୁପ୍ତ ଆଉ କାଳିଦାସ ସହ
ବିତାଇଛି ଦୁଇଦିନ
ଅମିର ଖୁସୁରୁ ଆକବର ଗଡ
ବାଟେ ଥିବ ଜୋତାଚିହ୍ନ ।
ରଜିଆ ସୁଲତାନା ଲକ୍ଷ୍ମୀବାଈ ସାଥେ
ପାରିଲିନି ଦେଖା କରି
ଏତିକି ଚାଲିଛି କହରେ କେମିତି
ଜୋତାତଳ ଗଲା ସରି ?
ମୂଲ ତ ଦେଇଛି ତା' ବଦଳେ ମୋତେ
ଅସଲ ମିଳିଲା ନାହିଁ
କିସ କହନ୍ତେ ସେ ଦେଖା ହୋଇଥିଲେ
ଏ ଯୁଗେ ସାଧୁତା ନାହିଁ !
ମଗଧରେ ପରା ୟୁନାନୀଙ୍କ ଝାଳେ
ସୁନା ଝରୁଥିଲା ଜାଣି
ଇଚ୍ଛା ମୋ ଦେଶକୁ ଭେନିସ୍ ସହରୁ
ବୁହାଇ ଆଣନ୍ତି ପାଣି ।
ଭଲ ଦେଖିବାକୁ ଚଷମା ଏ ଯୁଗେ
ତିଆରି ହୋଇଛି ସିନା
ଛଳ କିବା ଜଳ ଅନ୍ତରେ କେମିତି
ଜାଣିବି ସଂଶୟ ବିନା ?
ଝାଳ ଯେତେ ଏବେ ବାହାରେ ଦିଶୁଛି
ଭିତରେ ସେସବୁ ଲହୁ
ଉର୍ବରକ ନୁହେଁ ଗଛମୂଳେ ଦେଲେ
ବଢିଯା'ନ୍ତା କହୁ କହୁ ।
ପ୍ରାଚୀନ କାଳର ଲୋକଙ୍କୁ ଭେଟିଲେ
କହିଦେବି ସବୁତକ
ଯୁଗ ବଦଳିଛି ଏ ସଂସାରେ ଏବେ
ମିଳିବେ ସମସ୍ତ ଠକ ।
ଅବୋଧ ଭଳି ମୁଁ ଲେଖିଦିଏ ବୋଲି
କବିକୁଳ କହେ ଦୋଷୀ
ଫଟା ଜୋତା ଦେଖି ବିଦ୍ରୂପ କରନ୍ତି
ହସୁଥାନ୍ତି ମନ ତୋଷି ।