ଏଇ ପାଦ
ଏଇ ପାଦ
ମୁଁ ଅନେକ ଯୁଦ୍ଧ ଯୁଝିଛି।
ଅନେକ ଯୁଦ୍ଧର ଜୟ ପରାଜୟ ପରେ
ମୁଁ ନିଶ୍ଚୟ କ୍ଲାନ୍ତ ହୋଇ ପଡ଼ିଥାନ୍ତି,
ଯଦି ମୁଁ ଦେଖିନଥାନ୍ତି ଏ ଆକାର..
ଏ ଆକାର ମୋ ଧୂସର ଅନୁଭବର
ପଛ ଆଡୁ ଉଇଁ ଆସେ,
ମୋ କଳ୍ପିତ ଅର୍ଥର ଏ ନିଜ ରୂପ,
ମୋ କଳ୍ପିତ ଉଦ୍ଦେଶ୍ୟର ନବକଳେବର।
ଏ ସୃଷ୍ଟିର ସବୁଯାକ ବୈରାଗ୍ୟ
ଗଢ଼ିଦେଲା କିଏ ଶରୀର?
ଏହାତ କାମନା ମୋର
କେବଳ କାମନା ମୋର
ଏ କାମନା କେବେହେଲେ ଦୁଃଖର କାରଣ ନୁହେଁ,
କାହିଁକି ନା ମୋ ନିର୍ବାଣ କରଚି
ଏହି ଆକାରରେ ଜୀବନ ସଞ୍ଚାର।
ସବୁ କିଛି ଘୁଞ୍ଚିଯାଏ ଦୂରକୁ ଦୂରକୁ ଏବେ,
ଧୀରେ ଧୀରେ ଲିଭିଯାଏ ମୋର ଯେତେ ପୁଣ୍ୟଫଳ,
ଦୁଃଖ ସୁଖ ଆଶା ନିରାଶାର ।
ଲିଭିଯାଉ ସବୁକିଛି ,
ମୋ ହାଡ ବି ନରହୁ ଆଉ ମଣିଷର
ପରମ୍ପରା, ଆଦର୍ଶ ଓ ସଂସ୍କାର ଭିତରେ।
ମୁଁ ଆଜି ଆକ୍ରାନ୍ତ ନୁହେଁ
ଅନ୍ୟ କିଛି ସାମାନ୍ୟ ବା
ଅସାମାନ୍ୟ ଆବଶ୍ୟକତାରେ।
୨)
ଏହି ତାର ବାଳ ,କପାଳ ଓ ଆଖି,
ନାକ, ପାଟି ,ଓଠ,
ଏହି ତାର ଛାତି,ହାତ ,ଏ ଆଙ୍ଗୁଠି,ସ୍ପର୍ଶ।
ତା ଦେହର ନିବିଡ଼ତା,
ଏହି ଗୋଡ ପାଦ ।
ଏ ଦେହ ଆଶ୍ରୟ ମୋର
ଏଠାରେ ସରିଛି ମୋର ଜନ୍ମ ଜନ୍ମାନ୍ତର
ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟର କାଳ କାଳ।
ଏ ପାଦ ସ୍ୱୀକୃତି ମୋର,
ଭୁବନ ଭୁବନ ବୁଲି ସବୁ ନଦୀ ସମୁଦ୍ରଠୁ
ମୁଁ କରିବି ଜଳ ଭିକ୍ଷା,
ଚମ୍ପା ଚନ୍ଦନ କେତକୀ ବନ ଠାରୁ ମୁଁ ଆଣିବି
ସବୁ ବାସ୍ନା ପଵିତ୍ରତା,
ଧୋଇ ଦେବି ଏହି ପାଦ,
ଏ ପାଦ ତୀର୍ଥ ସକଳ,
ଏ ପାଦ ତଳର ମାଟି ପ୍ରଥମ ମାଟି ନିଶ୍ଚୟ
ମୂଳଦୁଆ ତିଆରିଛି ଅଚିହ୍ନା ଗ୍ରହର।
ତାର ସମ୍ମତିର ଭାଷା
ସେ ଗ୍ରହର ପ୍ରଥମ କାବ୍ୟ ସମ୍ଭାର
ପ୍ରଥମ ଆଲୁଅ ଏଇ,
ଝଲକରେ ହସି କହେ
'ମାଙ୍ଗଳିକ ବାଜୁ ଏବେ
ବଂଚିବା ସଫଳ।'