ସ୍ଵପ୍ନମନସ୍କ
ସ୍ଵପ୍ନମନସ୍କ
ଶୁନଶାନ୍ ରାସ୍ତା, ନିର୍ଜନ ନଈ ପଠା
ଆମ୍ବ ତୋଟା ବଉଳର ମହମହ ବାସ୍ନା
ସ୍ୱପ୍ନମନସ୍କ ମଣିଷ କିନ୍ତୁ ଢେର ବେଶି ଏକୁଟିଆ ।
ନିସଂଗତାର ନୀଳ ବହ୍ନିରେ ଜଳୁଛି ଆକାଶ
ଛାତି ତଳ କୋହର କୁହୁଡିରେ
ପୋଡିଯାଉଛି ଆମ୍ବ ବଉଳ
ସେ କେମିତି ଭରଷି ଯିବ ଯେ -
ମଥା ଉପରକୁ ଲମ୍ବିଆସୁଥିବା ହାତ ସବୁ
ଆଶୀର୍ବାଦର ହାତ, ବିଶ୍ଵାସର ଛାତ ବୋଲି ।
ସେ ତ' ଜଳିସାରିଛି ଅନେକଥର ଛଳନା ନିଆଁରେ,
ଆପଣା ଇଛାରେ ବଂଚି ପାରିନି ସତ
ମରିବି ଯାଇନି-
ଯେହେତୁ ଅମରି ଗଛଟେ ପରି ସେ ମରିବା ଶିଖିନି ।
ଲୁଣ୍ଠିତ ହେଉ ପଛେ ସଂସାରୁ ସୁହାଗ
ଦୂର୍ନୀତି, ଅତ୍ୟାଚାରର ନିର୍ମମ କାହାଣୀରେ ଭରିଯାଉ ପଛେ,
ଖବରକାଗଜର ପୃଷ୍ଠା ପରେ ପୃଷ୍ଠା,
ତଥାପି ସ୍ୱପ୍ନମନସ୍କ ମଣିଷ ତିଆରୁଥିବ
ଗୋଟେ ନିର୍ଭେଜାଲ୍ ପୃଥିବୀ, ନିଷ୍କଳଂକ ଉଦାର ଏକ ଆକାଶ ।
ଏଠି ନିରୁପାୟ ମଣିଷ
ଆଖି ଖୋଲିଲେ ଭେଟୁଛି ବହଳ ଅନ୍ଧାର
ଅଜାଣତେ ଶିକାର ହେଉଛି କାହା ଷଡଯନ୍ତ୍ରର,
ଏଠି କାହା ପାଇଁ କାନ୍ଦିବ ସ୍ୱପ୍ନଭୂକ୍ ମଣିଷ ଜଣକ
ଦି'ପାଦ ଭୂଇଁକୁ ମୋର ବୋଲି କହିପାରୁନଥିବା
ବିସ୍ତାପିତ ମଣିଷ ପାଇଁ ନାଁ-
ହକ୍ ଦାବିକରି ପୋଲିସଠୁ ମାଡ଼ ଖାଉଥିବା ଶିକ୍ଷକ ପାଇଁ,
କାହାର ଭାଂଗି ଯାଇଥିବା ଘର ପାଇଁ ଯୋଗାଡ କରିବ
ମଝି ଖୁଣ୍ଟ ଓ ସେଣୀ ।
ବାସ୍ ଏତିକି ଥାଉ-
ଏତିକିରେ ସରିଯାଉ ଦୁଃଖର ଅଭିଧାନ,
ଅତଏବ୍ ସ୍ୱପ୍ନମନସ୍କ ମଣିଷଟି ଗଢ଼ୁଥାଉ ଆପଣା ମର୍ଜିରେ ବିସ୍ୱସ୍ଥ ପୃଥିବୀ,
ତା ଅଶ୍ରୁଜଳେ ଜୀବନ୍ୟାସ ପାଉଥାଉ ଆତ୍ମୀୟ ମାଟି
ସେ ଶୋକ ରେ ଶ୍ରାଦ୍ଧ ବାଢୁଥାଉ,କାଲି ରାତିରେ ବହି ପୃଷ୍ଠା ଭିତରେ
ଚାପି ହୋଇ ମରିଥିବା ପତଙ୍ଗ ପାଇଁ,
ବୁଢିଆଣୀ ଜାଲ ଭିତରେ କବର ନେଇଥିବା ମାଛି ପାଇଁ ।
ଉତ୍ତର ନାହିଁ ଏଠି ସମୟ ପାଖରେ
କାହାର ଭାତ ଗୁଣ୍ଡା କେମିତି ଆଁ ପାଖକୁ ଯାଏ-
କିଏ ରକ୍ତ ବିକି ଭାତ କିଣେ ?
କିଏ ଭୋକ ପାଇଁ ଦେହ ବିକେ ?
ଅଥଚ ସମୟ ହିଁ ସାକ୍ଷୀ
ସବୁ କଳଂକର ଦ୍ରୋହ,ବିପ୍ଳବର ।
ଅପେକ୍ଷା କେବେ ରାତି ପାହିବ
ପେନ୍ଥେ ବଉଳକୁ ଧରି
କେଉଁ ମିତ କେବେ କାହାକୁ ଅପେକ୍ଷା କରିବ ,
ସାକ୍ଷୀ ରହିବ ଶୂନ ଶାନ ରାସ୍ତା ଆଉ ନିର୍ଜନ ନଈ ପଠା ।।