ଖାଲି ଟିକେ ଭୋକ ପାଇଁ ...
ଖାଲି ଟିକେ ଭୋକ ପାଇଁ ...
ଖାଲି ଟିକେ ଭୋକ ପାଇଁ ...
ବ୍ରହ୍ମାନନ୍ଦ ସ୍ୱାଇଁ
ଆଖିରେ ତା’ ତୁମେ
ଦେଖି ନାହଁ କିବା-
ସରଳ, ନିରୀହ, ବିଶ୍ୱାସ ଆଉ
ଭରସାର ସେଇ ସଜଫୁଟା ଟିକି ଫୁଲ...??
ମତଲବୀ ତୁମ କୁଟିଳ ମନର
ଛଳୁଆ କଥାରେ
ହେଉଥିଲା ଯାହା
ତୁଚ୍ଛାଟାରେ ଝଲ ମଲ...
ନାଲି ଟୁକୁଟୁକୁ ଦରୋଟି ଓଠୁଁ ତା’
ଝରୁଥିଲା ଯେଉଁ ମହୁ
ସ୍ନେହ, ସୋହାଗର ବାତ୍ସଲ୍ୟ ରାଗରେ
ଚୁମ୍ବନର କେତେ ଅଲିଭା ଦାଗରେ
ପ୍ରୀତି ଜଡ଼ସଡ଼ ହୃଦ ଆବେଗରେ
ଦେହ, ମନ, ସତ୍ତା ଭିଜାଇ ନିତି ସେ
ଆପ୍ଳୁତ ଖାଲି କରୁଥିଲା ଦିନେ-
ପ୍ରଚ୍ଛଦରେ ଯା’ର ସ୍ୱପ୍ନ , ସମ୍ଭାବନା,
ଆଶା, ଆଶ୍ୱାସନା
ହେଉଥିଲା ହାଉଯାଉ ।
ହେଲେ, ପିଶାଚ ଆଖିରେ,
ମନରେ, ହୃଦରେ-
ଏତେ ନିଆଁ ତୁମ
ଲୁଚି ରହିଥିଲା କାହିଁ ...
ଏଡ଼େ ଟିକେ ତାର କଅଁଳ ଦେହରେ
ନିଜ କନ୍ୟା ଆଉ ମାଆ, ଭଉଣୀର
ଢଳଢଳ ଆଖି, ଛଳଛଳ ମୁହଁ,
କଳକଳ ସୁର.. କିଛି ବି ଦିଶିଲା ନାହିଁ ... ??
ଜାଳି ପୋଡ଼ି ସବୁ ଶେଷ କରିଦେଲ
ଉନ୍ମାଦ-ମତ୍ତ-ଦେହ ଗୋଟାକର
ଖାଲି ଟିକେ ଭୋକ ପାଇଁ...