ସେଇ ରାତି
ସେଇ ରାତି
ମୋତେ ବି'
ଜଣାନାହିଁ ଲୋ ଦେବୀ
କେତେ ବର୍ଷ , କେତେ ମାସ
କେତେ ଦିନ ପୁରିଲା ଯେ ?
ସେ କ୍ଷତାକ୍ତ ରାତିକୁ ।
ହେଲେ ଜାଣିଥିବ
ମୋ ମୁଣ୍ଡ ତଳର ତକିଆ
କେତେ ରାତି ଯେ
ସେ ରାତିରୁ ଏ ରାତିକୁ..।
ସେଇ ରାତିକୁ
ଦମ୍ଭ ଟିକେ ମାଗିଲି
ଦେଲାନାହିଁ ସେ
ଭାରି ଲୋଭୀ ହୋଇ
ମହାଜନ ଠାଣିରେ କହିଲା-
'ହୃଦୟକୁ ତୋର ବନ୍ଧା ରଖ
ଆଉ ଯେତେ ପାରୁଛୁ ନେଇଯା ଦମ୍ଭ ।'
ସେ ଦିନଠୁ ବନ୍ଧା ପଡିଛି
ହୃଦୟ ମୋର
ଏବେ ବି ଭରପୁର ଭାବେ
ଅଛି ମୋ ପାଖରେ ଦମ୍ଭ
ହେଲେ ସେଇ ରାତିକୁ
ସୁଧ ଦେଇ ପାରୁନି ବୋଲି
ମୁକୁଳାଇ ପାରୁନି ହୃଦୟଟିକୁ...।
ପୁନଶ୍ଚ ରଙ୍ଗ ଛାଡ଼ୁଛି ମୋ ବସାର
ଯେଉଁ ବସା ବି ଗଢ଼ା ହୋଇଥିଲା
କେଉଁ ଗୋଟେ ରଙ୍ଗୀନ ରାତିରେ..
ତସେଥିପାଇଁ ଏଇ ସନ୍ଦେଶ
ତୁ ଭୁଲ ବୁଝିବୁ ସତ
କିନ୍ତୁ ଦମ୍ଭ ନାହିଁ ବୋଲି
କଦାପି ସଂଦେହୀ ହେବୁନା ।
ଏଇ ଦେଖ୍ ମୋ ଚିଠିର
ପ୍ରତି ଅକ୍ଷର , ମାତ୍ରା , ଫଳାରେ...
ଆଉ କ'ଣ ଖୋଜୁଛୁ ଯେ ??
ଦେଖ୍ ଦେଖ୍..ତୁ ଦେଖିପାରୁନଥିବା
ଏ ହୃଦୟବିହୀନ ପ୍ରେମିକର ଦାମ୍ଭିକତା ।