ହାଏରେ ମୋ’ ପାୱାର ଚଷମା
ହାଏରେ ମୋ’ ପାୱାର ଚଷମା
ଦୋକାନ ଯେବେ ମୋ ରହଇ ଖାଲି,
ଚଷମା ଭିତରୁ ଆଖିକୁ ମେଲି,
ନଜର ଦିଏ ମୁଁ ବହୁତ ଦୂରେ,
ଯିଏ ଯାଉଥାଏ ରାସ୍ତା ଉପରେ ।
‘ଅଧିକ ପ୍ରସଙ୍ଗ’ ଏଇ ମୋ ମନ,
ଝିଅଙ୍କୁ ଦେଖିଲେ ହୁଏ ପ୍ରସନ୍ନ,
ନୂଆ ଝିଅଟିକୁ ଯେବେ ଦେଖଇ,
ମନ ରେଳଗାଡ଼ି ପରି ଛୁଟଇ ।
ନୀଳ ରଙ୍ଗ ଶାଢ଼ୀ, ନାଲି ସେ ଓଠ,
ମୋବାଇଲି ଧରି ଚାଲୁଛି ବାଟ,
ହସରୁ ଲାଗୁଛି ‘ଜୁହୀ ଚୱଲା’
ପକ୍କା କରୁଛି ମୁଁ ତୋ’ର ମାମଲା ।
ନିମିଷ ଭିତରେ ହେଲା ଉଭାନ,
ଏଣେ ତେଣେ ତାକୁ ଖୋଜେ ମୋ’ ମନ,
ସେ ଦିନ ନହେଲା ଆମ ମିଳନ,
ଛକି ବସିଲି ମୁଁ ତା’ ପର ଦିନ ।
ଦୋକାନ ପିଣ୍ଡାରେ ହୋଇ ମୁଁ ଠିଆ,
ସକାଳ ‘ସାତ’ରେ ପିଉଛି ଚାହା,
ଦୂର ବସତିରେ ନୀଳ ସେ ଶାଢ଼ୀ
ଦେଖି ବାହାରିଲି ଅଣ୍ଟା ମୁଁ ଭିଡ଼ି ।
ସକାଳ ପହରୁ ସାରି ଗାଧୁଆ,
ଖରା ଖାଇବାକୁ ହୋଇଛି ଠିଆ,
ଲମ୍ବା ଚୁଟିକୁ ସେ ଅଛି ଶୁଖାଇ,
ଏଣେ ମନ ମୋର ହୋଇଲା ବାଇ ।
ପାୱାର ଚଷମା ଦେଲା ମୋ’ ଧୋକା
କେତେ ମୁଁ ଚଲାକ, ବନିଲି ବୋକା,
ପାଖକୁ ଯାଇ ମୁଁ ଦେଖଇ ଯେବେ,
ହୋସ ମୋ ଉଡିଲା ପବନ ବେଗେ ।
ନୀଳ ଲୁଙ୍ଗି ପିନ୍ଧି ‘ମଧୁସୂଦନ’
ମଇଁଷି ପିଠିରେ ବିରାଜମାନ,
ମଇଁଷି ଲାଞ୍ଜକୁ ଦେଖି ମୋ’ ମନ
ଭାବି ଲମ୍ବା ଚୁଟି ହେଲା ଉଚ୍ଛନ୍ଣ ।
ରସିକ ମନ ମୋ’ ପଡ଼ିଲା ଫିକା,
ଗୋଠ ଜଗୁଆଳ ଦେଲୁରେ ଧୋକା,
ଭାବି ନୀଳ ଶାଢ଼ୀ, ତୋ’ ନୀଳ ଲୁଙ୍ଗି,
ମନ ମୋର ଗଲା ମୂଳରୁ ଭାଙ୍ଗି ।
ମଇଁଷି ଲାଙ୍ଗୁଡ଼ ଦେଖି ଏ’ ମନ
ଭାବି ଲମ୍ବା ଚୁଟି ହେଲା ଉଚ୍ଛନ୍ଣ ।
କାହିଁକି ଆସେ ରେ ଏ’ ଚାଳିଶିଆ,
ରସିକ ମନ ମୋ’ ଭାରି ରଙ୍ଗିଆ ।
ମୁନ୍ନା ମହାପାତ୍ର,
ଗୁଣପୁର