ଏକ ଆକସ୍ମିକ ବିକିରଣ
ଏକ ଆକସ୍ମିକ ବିକିରଣ
ଏକ ଆକସ୍ମିକ ବିକୀରଣ
ନିରଵତାର ସାମର୍ଥ୍ୟ ମୋ ଭିତରକୁ ଉତୁରି ଆସେ ଆପଣା ଛାଏଁ କୁଣ୍ଡଳିନୀ ମୁଦ୍ରାରେ
ମୋତେ ଏକାତ୍ମୀଭୂତ କରେ !
ଵାସ୍ତଵତା ଯାହା ଦିଏନି ସେ ଦିଏ
ମୋ ସ୍ଵେଦ ନିଗାଡି ଆଇନାରୁ ମୋ ଛବିକୁ ଅପସାରଣ କରେ ।
ହୃଦୟର ପ୍ରତିଟି କୋଣ ଅନୁକୋଣକୁ ଛୁଇଁଯାଏ !ବନ୍ଦୀ ଜୀବନର କଟକଣାରୁ ମୋ ଶରୀର ମୁକ୍ତ ହୁଏ,
ଅନାୟାସେ ମୁଁ ସମସ୍ତ ଶୂନ୍ୟତାକୁ ଆତ୍ମସାତ୍ କରି ଉପରକୁ ଉଠେ !
ମାଟି ଉପରେ ପଡି ରହିଥାନ୍ତି ପାରମ୍ପାରିକ ସୂତ୍ରରେ ବନ୍ଧା କିଛି ମଣିଷ ଆଉ ସମ୍ପର୍କ,କିଛି ଯନ୍ତ୍ରଣା,
ମୁଁ ଆକାଶର ଚେନାଏ ଅଧିକାର କରେ,କିଛି ଶବ୍ଦ ପୁଞ ମୋର ଗୁରୁ ପାଲଟନ୍ତି,ମୁଁ ଲହରାଏ ଏକ ତାନ୍ ରେ,ମୁଁ ଶୃଙ୍ଗାର କରେ ସେଇ ରାଗରେ,ମୁଁ ଏଵେ ମାଟିର ଏକ ନିର୍ଯ୍ୟାତିତ ଚରିତ୍ର ନୁହେଁ ।
ମାତୃଗର୍ଭରେ ଶୋଇଲା ପରି ମୁଦ୍ରାରେ ମୋ ଦେହ,ଅପ୍ରକାଶ୍ୟ
ହୁଏ ତ ଭିନ୍ନ ଏକ ଶରଶଯ୍ୟାରେ !
ଏଵେ ମୋର କେହି ଶତ୍ରୁ ବା ମିତ୍ର ନାହାନ୍ତି,ମୋତେ ଦଣ୍ଡ ଦଵାରେ କାହାର ଆସ୍ପର୍ଦ୍ଧା ନାହିଁ !
ମୋର ଆସ୍ପୃହା ଅନନ୍ତ ଆକାଶ !
ମୁଁ ଜହ୍ନ ପରି ଧବଳ,ସୂର୍ଯ୍ୟ ପରି ତେଜିଆନ,ମୁଁ ଗ୍ରହ,ନକ୍ଷତ୍ର ,ତରୁ ତୃଣ,ନିହାରିକା,ମୁଁ ବି ଧୂଳିକଣା !
ପଳାୟନ ମୁହୂର୍ତ୍ତମାନଙ୍କ ଛନ୍ଦ !
ଶାଳବଣର ନିର୍ଵାଣ,ଭସ୍ମରେ ଆଚ୍ଛନ୍ନ ଇତିହାସ !ପ୍ରସ୍ତପ୍ରସ୍ତ କିମ୍ଵଦନ୍ତୀ ମୁଁ ! ଅଦେହୀ,ନିର୍ଵାକ,ନିର୍ଵିକାର
ଏକ ଆକସ୍ମିକ ବିକିରଣ !