କର୍ତ୍ତବ୍ୟ
କର୍ତ୍ତବ୍ୟ
ସେତେବେଳେ
ଯେତେବେଳେ ଶିଶୁଥିଲି,
ଅତି ସ୍ନେହରେ
ମାଆ ଲଦି ଦେଲା
ପିଠି ଉପରେ ବସ୍ତାନୀର ବୋଝ ,
କହିଲା; ଏଇଟା ତୋର
" କର୍ତ୍ତବ୍ୟର ବୋଝ "
ମୋ ପିଠି ବସ୍ତାନୀର ବୋଝ ବୋହି
ଲାଗୁଥିଲା ଦରଜ ଦରଜ ।।
ସେତେବେଳେ
ଯେତେବେଳେ ଯୌବନ ଆସିଲା
ଜୀବନକୁ ନୂଆ ରଙ୍ଗ ଦେଇ
କିଛି ଆଶା କିଛି ସ୍ବପ୍ନ
ଆଖିରେ ସଜେଇ,
ଅର୍ଦ୍ଧାଙ୍ଗିନୀ ଭେଟି ଦେଲେ
ଅନଙ୍ଗ ପ୍ରେମରେ
ବୋହିବାକୁ ସଂସାରର ବୋଝ
ଯଂତ୍ରଣାର ଯୁପକାଷ୍ଠ
ଗଳାରେ ଲମ୍ବେଇ ।
କହିଲେ; ଏଇଟା ତୁମର
"କର୍ତ୍ତବ୍ୟର ବୋଝ ",
ମୋ କାନ୍ଧ " କର୍ତ୍ତବ୍ୟ " ର ଭାର ବୋହି
ହୋଇଥିଲା ଓଟ ଭଳି କୁବ୍ ଜ ।।
ପିଲାଙ୍କର ଶିକ୍ଷା ଦିକ୍ଷା
ପରିବାର ପ୍ରିୟଜନଙ୍କର
ସୁଖ ଦୁଃଖ ହସ କାନ୍ଦ
କୁଶଳ ଜିଜ୍ଞାସା -
ମର୍ଯ୍ୟାଦାର ରକ୍ତ ନିଗିଡା
ସୁଦୃଢ ସୁରକ୍ଷା,
ସାମାଜିକ ବିଜ୍ଞାନ ଭାଷାରେ
ଯାହାଥିଲା - ମୋ ପାଇଁ
କରଣୀୟ କର୍ତ୍ତବ୍ୟର
କଠିନ ପରୀକ୍ଷା ।।
ସେତେବେଳେ
ମାଆ ଲଦି ଦେଇଥିବା
କର୍ତ୍ତବ୍ୟର ବୋଝ ,
ବୟସର ଅପରାହ୍ନରେ
ପଶ୍ଚିମ ଲଲାଟେ ବୁଣିଲାଣି
ଇଷତ୍ ନାଲି ହଳଦିଆ
ସ୍ବର୍ଣ୍ଣାଭ ମୂରୁଜ ;
ତଥାପି ବି ସରିନାହିଁ -
ସରିନାହିଁ କର୍ତ୍ତବ୍ୟ କରଜ -
ବାକି ଅଛି ବଳକା ଆୟୂଷ
ଜୁଇରେ ଜଳିବା ଯାଏ
ଛାତିର ଦରଜ ।।
ଭକ୍ତ ଚରଣ ମଲ୍ଲ ,ଦୂରଭାଷ୍: 7978122527
ନେମ୍ବରା, କେନ୍ଦ୍ରାପଡା