ଚାରି ପାହାଚ
ଚାରି ପାହାଚ
ଶ୍ରୀମନ୍ଦିରେ ସିନା ମୁକ୍ତି ମାର୍ଗ ପାଇଁ
ଜଗା ବାଇଶି ପାହାଚ
ମଣିଷ ଜୀବନ ଚାରି ପାହାଚିଆ
ଖଞ୍ଜା ଭଙ୍ଗା ଗଢା କାଚ।
କେତେବେଳେ ପାଏ ପ୍ରଶଂସା ଆଶିଷ
କେବେବା ନିନ୍ଦାର ଶାପ
ଭଲ ମନ୍ଦ ସୁଖ ଦୁଃଖ ମଞ୍ଚ ଇଏ
ଉଚ୍ଚ ନୀଚ୍ଚ ଅଙ୍କା ଛାପ।
ଜନମ କାଳରେ ଏନ୍ତୁଡ଼ିର ନିଆଁ
ତା ସାଥିରେ କୁଆଁ ରାଵ
ଆନନ୍ଦ ଉଲ୍ଲାସେ ଗେହ୍ଲ ଆଦରରେ
ବାହେ ସେ ଶୈଶବ ନାଵ।
ଶିକ୍ଷାର ଚମକେ ଜ୍ଞାନର ମହକେ
ଶିଷ୍ଟାଚାର ଯେତେ ସିଞ୍ଚି
ଜୀବନ ପାଇଁ ସେ ରାହା ଖୋଜୁଥାଏ
ପ୍ରୀତିପୁଷ୍ପ ବିଞ୍ଚି ବିଞ୍ଚି।
ବିବାହ ବନ୍ଧନେ ଛନ୍ଦି ହୋଇ ଯେବେ
କରେ ଆଦର୍ଶର ଘର
ସଭିଙ୍କ ଆଶିଷ ବରଷା ଜଳରେ
ସିଦ୍ଧ ହୁଏ ଏ ସଂସାର।
ଧର୍ମ ପୁଣ୍ୟ କରି ବାର୍ଦ୍ଧକ୍ୟେ ପହଞ୍ଚି
ବାଣ୍ଟେ ଆଦର୍ଶର ନୀତି
ଯୁଗ ଯୁଗ ପାଇଁ ସ୍ମୃତି ରଖି ଯାଏ
ଅଭୁଲା ଅଲିଭା ଗୀତି।
ମଣିଷ ଜୀବନ ଚାରି ପାହାଚଟା
ଭଲ ମନ୍ଦର ମିଶ୍ରଣ
ପାହାଚକୁ ବୁଝି ସତ୍ ରେ ଚାଲିଲେ
ଜୀବନଟା ହୁଏ ଧନ୍ୟ।
ସତ୍ ଚିନ୍ତା କରି ପର ଉପକାରେ
ଦିବା ନିଶି ବ୍ରତୀ ହୋଇ
ଚାଲ ହେ ଚଢ଼ିବା ଚାରି ପାହାଚକୁ
ସାମ୍ୟ ପ୍ରୀତି ଗୀତ ଗାଇ।
🌻 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର* 🌻