ଅଫେରା ଦିନ
ଅଫେରା ଦିନ
ସେତେବେଳେ ନିହାତି ଅପରିଚିତ ମୋ ପାଇଁ,
ଭଲପାଇବାର ପୃଥିବୀ,
ତୁମେ ଶିଖେଇଲ ଭଲପାଇବାର ଠାଣି ଓ ଚାହାଁଣି,
ତୁମକୁ ଭଲପାଇବା କଥା କାହାକୁ କହିପାରିଲିିନି,
ଏମିତି ଏମିତି ବିତିଗଲା ହଜାର ଜହ୍ନ ରାତି ।
ଯେଉଁ ଦିନ ମତେ ଲାଗିଲା ପାଦ ତଳର ବିଶ୍ବସ୍ଥ ମାଟି ଥରି ଯାଉଛି,
ତୁମକୁ ଚାହୁଁ ଚାହୁଁ,
ଆକାଶକୁ ଚାହିଁଲେବି ଦିଶିଯାଉଛି ତୁମ ମୁହଁ,
ଜାଣିଗଲି -
ତୁମକୁ ଭାବିବା ବ୍ୟତିରେକ ମୋର ଅନ୍ୟ କାମ ନାହିଁ,
ତମକୁ ଛାଡି ମୁଁ ବଞ୍ଚି ପାରିବିନି ।
ବେଳାଭୂଇଁକୁ ଢେଉ ଛୁଁ ଥିଲା, ଜହ୍ନ ଉଉଁ ଥିଲା,
ଖାଲି ଯାହା ମୋ ପାଦ ଚଲା ରାସ୍ତା ପିଚୁ ବନିଥିଲା,
ଏଇ ଭିତରେ ମୋ ବୟସ ବଢ଼ିଗଲା,
ଆଶ୍ଚର୍ଯ୍ୟ ମୁଁ ବଞ୍ଚିଗଲି ଜୀବନରୁ ତୁମକୁ ବାଦ୍ ଦେଇ ।
ନିଜର ଦେହ ମୁଣ୍ଡ ପେଟ କଥା ଯେତିକି ଭାବିଲି,
ନଖ କଟା, ବାଳ ଧୁଆ ଓ ଔଷଧ ଖିଆରେ,
ଯେତିକି ସମୟ ଖର୍ଚ୍ଚ କଲି,
ତୁମ ପାଇଁ ସେତିକି ଉଦବୃତ୍ତ ସମୟ ଦେଇ ପାରିଲିନି ।
ଜୀବନ ପଥେ ତୁମ ସାଥେ ଭେଟ ହେବ କି ନହେବ ସମୟ କହିବ
ନ ହେଲେ ଭାବିନେବି
ମୋ ରାସ୍ତାର ମୁଁ ନିସଙ୍ଗ ବାଟୋଇ,
ଯଦି ଭେଟ ହୁଏ ନିଶ୍ଚେ ପଚାରିବି
ଏମିତି କାହିଁକି ହେଲା
ତୁମ ରାସ୍ତା ମୋ ରାସ୍ତା ଜାତୀୟ ରାଜପଥ ପରି
ମଝିରୁ ଦି’ଫାଳ କାହିଁକି ହେଲା ।
ଭଲ ପାଇବାର ଘର ଟିଏ ଗଢ଼ିବାକୁ ସବୁ ତ ଆମର ଥିଲା,
ସ୍ନେହ ମମତାର ମଝିଖୁଣ୍ଟ ଓ ସେଣୀ,
ବିଶ୍ବାସର ଛପର...ତଥାପି କାହିଁ ହେଲ ପର ?
କହିପାରିବକି ତୁମେ ପଛେ ଆସୁଥିବା ଜାଣି ବି,
ମୁଁ କାହିଁକି ଅଟକି ଗଲିନି,
ଯଦି ବି ଅଟକିଲି ତୁମ ହାତ ଧରିବାକୁ ହାତ କାହିଁକି ଗଲାନି,
ଫେରନ୍ତି ପଥେ ଜାଣିଛି,
ତୁମେ ମତେ ଅପେକ୍ଷା କରି ବସି ନଥିବ,
ସେଥିପାଇଁ ଫେରିବାର ଉତ୍କଣ୍ଠା ମୋର ନାହିଁ,
ତଥାପି ତୁମକୁ ଭୁଲି ଯାଇନି l
କୋଉ ଦିନ ମନେ ରଖି ଥିଲି କି?
ତୁମେ ତ’ ଆପେ ମିଶି ଯାଇଥିଲ ମୋ ମନରେ ପ୍ରତିଟି ରେଣୁରେ,
ଛାଇ ଯାଇଥିଲ ସ୍ବପ୍ନର ପ୍ରାନ୍ତରେ ପ୍ରାନ୍ତରେ…,
ତେବେ ଶେଷ ଦେଖା ବେଳେ କାହିଁ କହି ଗଲ,
ମତେ ଭୁଲି ଯିବ …,
ଦୟାକରି ଭୁଲିଯିବ ମତେ,
ଦୟାରେ କଣ କାହାକୁ ଭୁଲି ହୁଏ ।
....
'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର
Mob:9438080583
Email :litp.ranjan@gmail.com