ଧ୍ଵସ୍ତ ପତର ଭାଷା
ଧ୍ଵସ୍ତ ପତର ଭାଷା
ଖଣ୍ଡିତ ଦୀପ
ଦଗ୍ଧ ସଳିତା
ଅନଳର ଶିଖା
ଜଳୁଛି ସେଥିରେ
ତିଳେ ହେଲେ ସେ ତ
କାହିଁ ଏ ଯାବତ
ପ୍ରଶମିତ ହେଇ ନାହିଁ |
ପ୍ରତିଚୀ ଗଗନେ ଦିଗ୍ବଳୟର ତଳେ --
ଭାସ୍ଵତ ସାତ-ଅଶ୍ଵ-ଚାଳିତ ନିଖୋଜ ହେଇ ବି
ଅସ୍ତାଚଳର ଅସ୍ତରଙ୍ଗେ ଅଳ୍ପ ଆଲୁଅ
ଏବେ ବି ଚାଲିଛି ଦେଇ |
ଲତା-ଗୁଳ୍ମରୁ ଶୁଷ୍କ ସୁମନ କଳ୍ପନା ଭରା-
ଜୀଵନ ଅସ୍ତ କାଳେ ନେବ ଆଶ୍ରୟ ହେଲାଣି
ସମୟ ସଞ୍ଚୟ କରି ବଳ ଆଖି ମେଲି ଜଳ ଜଳ --
ଧରି ସେ ସାହସ ଦେଉଛି ସୁବାସ
ଝଡ ବତାସରେ ତଳେ ଝଡି ପଡି
ଏବେ ବି ତ ମରି ନାହିଁ |
ସାଗର କନ୍ୟା --
ଥିଲା ସେ ଧନ୍ୟା
ଛୁଟାଇ ବନ୍ୟା
କ୍ରୀଡା ନିମଗ୍ନା
ଦୁଇ ଧାରେ ଧରି ରୂପ ଅନନ୍ୟା
ଵଣ୍ୟ କାମନା
ଜାଗ୍ରତ କରି ଵିଳାସ-କୁଶଳୀ ଛଟକ-ନିପୁଣା
ଧରଣୀ-ମଗ୍ନା ଫଲ୍ଗୁ ଯାଇଛି ବହି;
ଦିଶୁ ନାହିଁ ସିଏ ଲୁଚି ଲୁଚି ଦିଏ
ଜଳର କଣିକା ମାଟିର ଗର୍ଭେ ଥାଇ |
ମୋତେ -- ହେଲାଣି ବୟସ,
ଆଉ କେତେ ମାସ,
କି ଅବା ବରଷ ନିରତ ନିରସ ମୋ ପାଶେ ଯାଇଛି ରହି;
ଉତ୍କଳ-କଳା ଉଜ୍ଜ୍ଵଳ କରି ତୁମରି ଗଳାରେ ଅରପିବି ମାଳା,
ଦେଇ ଯିବି ଭାଷା - ନାହିଁ ତିଳେ ଆଶା
ମୋର ରହି ଯାଇଥିବା ଛିଣ୍ଡା ଖାତାର ଅଳ୍ପ କେତେଟା ପୁରୁଣା କଵିତା
ତା’ର ଜରା-ଜର୍ଜର ଧୂସର ଵର୍ଣ୍ଣ, ମରଣାପନ୍ନ --
ସେଇ ଧ୍ଵସ୍ତ ପତରୁ ଦେଇ !