ନନାଙ୍କ ଆଖିଆ
ନନାଙ୍କ ଆଖିଆ
ନନାଙ୍କ ଆଖିଆ
ସ୍ମୃତି ଚିତ୍ରପଟ ଚଳେ
ଚାଳିଶ ବରଷ ତଳେ
ନନା(ବାପା) ପିନ୍ଧୁଥିବା ଗାନ୍ଧୀ ଯୁଗର
ବର୍ତ୍ତୁଳ ଆଖିଆ ହଳେ ।
ନାସିକାର ଅଗ ଯାଏଁ
ରାମାନନ୍ଦୀ ଚିତା ଥାଏ
ବେକରେ ତୁଳସୀ ଦାନାର କଣ୍ଠୀ
ଫତେଇ ସାଙ୍ଗକୁ କାନ୍ଧରେ ଗାମୁଛା
ଯୌଥ କୁଟୁମ୍ବେ ଉଦାର ସେ ଦୃଷ୍ଟି କାଳେ ।
ତତ୍ତ୍ଵାବଧାନ ସାଥେ
ଚାଷ ହଳିଆଙ୍କ ହାତେ
ଦି'ହଳ ବଳଦ ଗୋଠେ ଗାଈ ଥାଉ
ବୋଉର ଅପାର ଯତନ ଭିତରେ
ଅଭାବ ନଥିଲା ସତେ !
ଧ୍ୟାନେ ପୂଜା ପାଠ କୁଟୁମ୍ବ ସମ୍ଭାଳି
କକା ,ପିଉସୀଙ୍କ ଭଲମନ୍ଦ ଭାଳି
ଆମ ପାଠପଢ଼ା ବୁଢୀ ମା'ଙ୍କ ଓଷ..
ଚର୍ଚ୍ଚାରେ କୁଣିଆ ସର୍ବଦା ସନ୍ତୋଷ ।
ପୋଷା ଜନ୍ତୁ ପାଇଁ ସେବା
ନିଇତି ସକାଳେ
କ୍ଷୀର ଘିଅ ଦୀପ ଦେଉଳକୁ ହୁଏ ନେବା ।
ଦୁଃଖ ଅସୁବିଧା କା'ର
ହୋଇଯାଏ ପ୍ରତିକାର
ରାଗ ଅଭିମାନେ ବୁଝାଇ ଶୁଝାଇ
ବୋହି ନେଲେ ସାରା ଭାର ।
ଖଜା ଖାଉଥିଲି ହସି
କକାଙ୍କ କାନ୍ଧରେ ବସି
ନଈ ଆରପାରି ଦୋକାନରୁ ଆଣି
ଘରେ ଯାଉଥିଲି ପଶି ।
ନନାଙ୍କ ଚକା ଆଖିଆ
ଆଖିରେ ଲଗାଇ ବାଡ଼ି ଖଣ୍ଡେ ପାଇ
ଅଭିନୟ କରି କାଳ କେବେ ସରି
କେଜାଣି କେମିତି ଏବେ ତ ଏମିତି
ବାର୍ଦ୍ଧକ୍ୟରେ ହେଲି ଠିଆ ।
କେହି ନାହିଁ ପାଶେ ମୋର
ଏକାନ୍ନ ଏ ପରିବାର
ସାହା ଓ ଭରସା ପାଇଁ
ଆଶା ବି କି ଆଉ ନାହିଁ !
ପୁଅ ସାତ ସିନ୍ଧୁ ପାରେ
ଭାବନା ନଥିଲା ଯା'ରେ ,
ଯଉଥ ସେ ପରିବାର
ଅନୁଭବି ବାରବାର
ଅଜ୍ଞାତସାର ସେ କେବେ
ଆଖିଆ ତଳରେ ଏତେ ସାରା ଲୁହ
ବହଳ କାଚର ଭିତରୁ ଦେଖିଲେ
ଝାପସା ଦିଶୁଛି ଏବେ ।
ପ୍ରସନ୍ନ କୁମାର ମାଦଳା