ଦେହାହୁତି
ଦେହାହୁତି
ଚେତନାର ଚଉକାଠେ ବିବେକର ଦ୍ୱାର କିଳି
ନିତି ଫେରି ସ୍ୱପ୍ନେ କାହିଁ ଓଠ ପାଶେ ଆସ ମିଳି
ନିର୍ଦ୍ୱନ୍ଦ୍ୱରେ ଛୁଅଁ ବୋଲି ସମ୍ବେଦନଶୀଳ ଅଙ୍ଗ
ସପନ ରଙ୍କୁଣୀ ମୋର ହୁଏ ଯେତେ ଧୃତି ଭଙ୍ଗ ।
ସାରାରାତି ରଚି କେତେ ଅହେତୁକ ଭୂତ କେଳି
ସପନର ବାଲିଘରେ ମନ ମୁତାବକ ଖେଳି
ମନ୍ତୁରା ପାଣି ସିଞ୍ଚାଇ ସତେ କି କିମିଆ କଲ
ସମ୍ମୋହନ ବଶୀଭୂତ ଦେହ ଯାକ କଲବଲ ।
ଛାତି ତଳ ଅନ୍ଧାରରେ ଜଳିଯାଏ ଯେତେ ନିଆଁ
ବାରୁଦର ଜଉଘରେ ଜମିଯାଏ କୁହ କିଆଁ
ତଳିପାରୁ ଶିରସ୍ତ୍ରାଣ ଭେଦିଯାଏ ଆପେଆପେ
ପ୍ରଶମନ ପରିତ୍ରାଣ ବିହୁନେ ଜଳାଏ ତାପେ ।
ବାରମ୍ବାର ରୁଦ୍ଧଶ୍ୱାସ ହେଉ ହେଉ ମୁଁ ନିଆଁରେ
ଲିଭିଯିବି ସରିଗଲେ ଇନ୍ଧନ ମୋ ଦୁନିଆଁରେ
ସକାଳରୁ ବାସି ଚୁଲି ପ୍ରତିସଞ୍ଜେ ଦୀପ ଜାଳେ
ଆଉଥରେ ଜଳିବାକୁ ଏତେ କାହିଁ ନିତି ଭାଳେ ।
ଏଥିପାଇଁ ଏ ଜୀବନ ପ୍ରଦୀପର ଶିଖା ଗୋଟେ
ଜଳିଲିଣି ଯେବେଠାରୁ ଲିଭୁନାହିଁ ଆଉ ମୋଟେ
କେତେ ଆଉ ବାକି ଅଛି ବଞ୍ଚିବାର ପାଇଁ ଭ୍ରମ
ଆହୁତିର ଆକର୍ଷଣେ ବଢିଲାଣି ଦେହେ ଶ୍ରମ ।
ପ୍ରସନ୍ନ କୁମାର ମାଦଳା