ଆସ ଆସ ସାଥୀ
ଆସ ଆସ ସାଥୀ
ବେଳାତଟେ ପାଇ ମୋ ହାତେ କିପାଇଁ
ହାତ ତୁମେ ଥିଲ ରଖି
କହିଦିଅ ସତ ତୁମର କି ମତ
ନଥିଲା ସେଦିନ ସଖୀ ।
ଯୋଚିଥିଲି ଶର ହୋଇ ତରବର
ବାଜୁ ନ ବାଜୁଣୁ ବୁକେ
ହେଲାନି ତ ଡେରି ତୁରିତ ସେ ଫେରି
ମୋ ନିଜ ହୃଦୟେ ଢୁକେ ।
ପ୍ରୀତିରସ ସୁଧା ବୋଳିଥିଲେ ସୁଦ୍ଧା
ଭ୍ରମିଗଲା ମୋର ଶୀର୍ଷ
ବିମୋହିତ ହୋଇ ପଡିଗଲି ଶୋଇ
କେଜାଣି ଯେ ହେଲା କିସ ।
ଏବେ ଏବେ ଦେଖ ତୁମ ରୂପରେଖ
ମାନସ ପଟଳେ ଭାଳି
ଅଜାଣତେ ମୋର ଦେହମନ ଘୋର
ଅନଳେ ଦେଲିଣି ଜାଳି ।
ତଥାପି ତ ଆହା ହୋଇବ କି ସାହା
କହିଦିଅ ପଦେ ହାୟ
ମୋର ଉପଚାର ଆଉ ନ ପଚାର
ନାହିଁ ମୋର ପରବାୟ !
ଛାଡୁନି ଏ ଜ୍ବର କହ କା' ନଜର
ପଡିଲା ଆମରି ପରେ
ଝୁରି ନିଶିଦିନେ ତୁମ ପ୍ରୀତି ବିନେ
ମରୁଛି ବିରହ ଭରେ ।
ବିତୁ କାଳରାତି ଆସ ଆସ ସାଥୀ
ପୀୟୂଷ କଳସ ଧରି
ପ୍ରେମ ଭାବରସ ହୋଇ ଗୋ ହରଷ
ଅଧରେ ମୋ ଦିଅ ଭରି ।
ପ୍ରସନ୍ନ କୁମାର ମାଦଳା