ଦୋଳ ମଉଜ
ଦୋଳ ମଉଜ
ଦୋଳ ମଉଜ
ନାମଯଜ୍ଞ ମିଶ୍ର
ଆସିଗଲା ‘ଦୋଲ ମଉଜ’
ଦୋଳାରେ ଝୁଲିବେ ରାଈଦାମୋଦର
ନାଚୁଥିବେ ଭକ୍ତ ସମାଜ । ।
ବାଜୁଥିବ ଶଙ୍ଖ, ଘଣ୍ଟ, ଭେରୀ, ତୁରୀ
ମର୍ଘଳ, କଂସାଳ, କାହାଳୀ,
ଢ଼ୋଲ, ନିସାଣ, ତାସା, ମହୁରୀ ସଙ୍ଗେ
ମୃଦଙ୍ଗ, ଗିନି, କରତାଳି,
ତାଳେ ତାଳେ ନାଚୁଥିବେ କୀର୍ତ୍ତନିୟା
ପିଲେ କରୁଥିବେ ପହିଜ । ।
ରଙ୍ଗ ପିଚିକାରୀ ମରାମରି ହୋଇ
ସରବେ ଆନନ୍ଦ ବିଭୋର,
ଉଚ୍ଚ, ନୀଚ ଭେଦ ହିଂସା, ଦ୍ଵେଷ ଭୁଲି
ପ୍ରେମେ ସକଳେ ଏକାକାର । ।
ଫଗୁ ବୋଳାବୋଳି ହୋଇ କୋଳାକୋଳି
ଫୁଟାଇବେ ସ୍ନେହ ସରୋଜ । ।
ଘର ଘର ବୁଲି ଚାଚେରୀ ଭୋଗରେ
ଚରଚା ଘେନିବେ ଠାକୁର
ଆଶିଷ ବରଷି, ଭକ୍ତ ସଙ୍ଗେ ରସି
ମେଳା ପଡ଼ିଆରେ ହାଜର,
ଆନ ଆନ ଗ୍ରାମୁଁ ଦେବଦେବୀ ଆସି
ବସିବ ଦିଅଁଙ୍କ ସମାଜ । ।
ଦୋକାନ, ବଜାର ଗହଳଚହଳେ
ପୂରିବ ମେଲଣ ପଡ଼ିଆ,
ନାନା ନାଟ, ଗୀତ, ସଂକୀର୍ତ୍ତନ୍ୟ ରୋଳ
ବାଣ, ରୋଷଣି କି ବଢ଼ିଆ !
ବରଷକେ ଥରେ ଆସି ଦୋଳଯାତ
ଦେଇ ଯାଏ ମହାମଉଜ । ।