ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ
ଚିତ୍କାର ନ କରି
ଠିଆ ହୁଅ ତୁନି ହେଇ ,
ଲୁହ ଢାଳ,
କ୍ୟାଣ୍ଡେଲ୍ ଜାଳ,
ନିରବ ପ୍ରାର୍ଥନା କର
ଅମର ଆତ୍ମାର ସଦ୍ଗତି ପାଇଁ ।
କାମ ଶେଷ.......।।
କ'ଣ ମିଳିବ ଏ ହୋ ହାଲ୍ଲାରୁ, ନାରାବାଜିରୁ !
ଏତେ କାଢୁଆ ତ ନିଜେ ଖୋଜ,
ଘୋଷାଡି ଆଣି ବିଚ୍ ବଜାର ଉପରେ
ଜବ କରିଦିଅ ଷଣ୍ଢାସୁରର ମର୍ଦ୍ଦପଣିଆ ।
ମୁଁ ଜାଣେ ....ପାରିବନି ।
ଦୋଷ ଦବ ଭାଗ୍ୟକୁ ,
ସେ ଅଭିଶପ୍ତ ମୂହୁର୍ତ୍ତକୁ,
ସନ୍ଦେହ କରିବ ବିଚରା ଈଶ୍ବରଟିକୁ ,
ତା'ର ବା ଦୋଷ କ'ଣ !
ଦେଖ......
ଅତ୍ର ତତ୍ର ସର୍ବତ୍ର ମୁୂଖା ମାନଙ୍କ ରାଜୁତି
କେମିତି ଚିହ୍ନିବ କିଏ ହିନ୍ଦୁ, କିଏ ମୁସ୍ଲିମ୍ !
କେମିତି ଜାଣିବ କିଏ ଜେହାଦୀ, କିଏ କାଫିର୍ !
କେମିତି ବୁଝିବ ହସ ପଛରେ ଲୁଚିଛି ସଇତାନ୍ ,
ଭୟରେ ଏବେ ଆଲ୍ଲା ମିଆଁ ବି ଉଭାନ୍ ।
ଈଶ୍ବର ଆଲ୍ଲା ଯୀଶୁ ଏକ,
ମନ୍ଦିର ମସ୍ଜିଦ୍ ଗୀର୍ଜା ଏକ ତ
ଆସିଫା,ଅହଲ୍ୟା,ସୋଫିଆ ବି ଏକ ନା !
'ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ
ରମନ୍ତେ ତତ୍ର ଦେବତାଃ ପରା ..... !
ଏବେ କୁହ.......
କେମିତି ପାଇବ ଈଶ୍ବରଙ୍କୁ,ଆଲ୍ଲାଙ୍କୁ,ଯୀଶୁଙ୍କୁ
ଯେଉଁଠି ଆଠ ବର୍ଷର ଆସିଫା କ'ଣ
ବାଦ୍ ପଡେନା ଆଠ ମାସର ଶିଶୁ !
କେମିତି ପାଇବ ନ୍ୟାୟ ....
ଯେଉଁଠି ମା' ଗର୍ଭରେ ବି
ଏକ ଭିନ୍ନ ବଳାତ୍କାରର ଶିକାର ହୁଏ ଭୃଣଟିଏ !
ଯାଅ , ଯାଅ
ବନ୍ଦ କର କୁମ୍ଭୀର କାନ୍ଦଣା,
ବନ୍ଦକର ରାଜନୀତିଆ ତାମ୍ସା ।
ଅନ୍ତତଃ ଶାନ୍ତିରେ ଶୋଇବାକୁ ଦିଅ
ଆସିଫାକୁ କବରରେ,
ସସ୍ମିତାକୁ ଶ୍ମଶାନରେ,
ସୋଫିଆକୁ କଫିନ୍ ଭିତରେ.....।
ଅନ୍ତତଃ ମୃତ୍ୟୁ ପର ବଳାତ୍କାରରୁ
ମୁକ୍ତ କର ସେମାନଙ୍କୁ ।।।
ଦୀପ୍ତିମୟୀ ବିଶ୍ବାଳ