ସର୍ବଶ୍ରେଷ୍ଠ ଆରାଧିନୀ
ସର୍ବଶ୍ରେଷ୍ଠ ଆରାଧିନୀ
କହୁଛୁ କହ୍ନାଇ ଗଳା ରତ୍ନ ନେଇ
ବଂଶୀ ତୋ ଫେରାଇ ଦେବି
ସେ ବଂଶୀ ଗାଇବ ରାଧା ରାଧା ପଦ
କଳଂକିନୀ ମୁହିଁ ହେବି ।
କାହ୍ନୁରେ ! ବଂଶୀ ତୋ ଆଉ ନଦେବି ।
ଯମୁନା କୁଳିଆ କଦମ୍ବ ମୂଳିଆ
ରାସ ମୁଁ ଶେଷ କରିବି ।୧।
ଆବାଳ ବନିତା ଯେତେକ ଗୋପୀକା
ସଭିଏଁ ତୋ ନାମେ ବାଇ
ଏକା ରାଧା କିଆଁ କଳଂକର ନିଆଁ
ମଥା ପାତି ସହୁଥାଇ ।
କାହ୍ନୁରେ ! ବଂଶୀ ତୋ ଆଉ ନଦେବି ।
ଜଟିଳା କୁଟିଳା ଶାଶୁଘରେ ଭଲା
କେତେ ଗଂଜଣା ସହିବି ! ୨।
ଯମୁନା ଘାଟକୁ ପାଣି ଆଣିବାକୁ
ଆସେ ମୁହଁ ନିତି ପ୍ରତେ
ସେ ବଂଶୀର ସ୍ଵନ ଉଚ୍ଚାଟ ମୋହନ
ସହିବି ଅବା କେମନ୍ତେ ।
କାହ୍ନୁରେ ! ବଂଶୀ ତୋ ଆଉ ନଦେବି ।
ଚନ୍ଦ୍ର ଶେଣା ପତି ଜଗି ବସୁଛନ୍ତି
କେଉଁଠି ଅବା ଲୁଚିବି !୩।
ମଥୁରା ହାଟକୁ ଦଧି ବିକିବାକୁ
ନଗଲେ ନସରେ ଦିନ
ବାଟରେ ଘାଟରେ ତୁ ଜଗି ବସିଲେ
ବଣିଜେ କି ଲାଗେ ମନ !
କାହ୍ନୁରେ ! ବଂଶୀ ତୋ ଆଉ ନଦେବି ।
ଏତେ ଗୋପୀ ଥାଉ ରାଧା ରାଧା ହେଉ
ଲାଜେ କି ପାଷାଣୀ ହେବି !୪।
କଂକଣ ହସ୍ତର ଗଳା ରତ୍ନ ହାର
ସେସବୁରେ ନାହିଁ ଆଶ
ମୁରଲି ବଜାଇ କରୁ ତୁହି ବାଇ
ସଂସାର ଲାଗଇ ବିଷ ।
କାହ୍ନୁରେ ! ବଂଶୀ ତୋ ଆଉ ନଦେବି ।
ରାଣ ଦେଲି କାହ୍ନା ଆଉ ତୁ ବଜାନା
ଯମୁନାରେ ଦେବି ଝାସ ।୫।
ପୂଜାରିଣୀ ମୁହିଁ ପ୍ରଭୁ ମୋର ତୁହି
ସେ କଥା ତୁ ଭଲେ ଜାଣୁ
ମୋତେ ନିନ୍ଦା ହେଲେ ପ୍ରଭୁ ପଣେ ଭଲେ
କଳଂକ ଲାଗିବ ତେଣୁ ।
କାହ୍ନୁରେ ! ବଂଶୀ ତୋ ଫେରାଇ ଦେବି ।
ମୁହିଁ ଅସରଣ ତୋ ପାଦେ ଶରଣ
ଆରାଧିନି ଭାବେ ସେବି ।୬।
-ବିଶ୍ଵେଶ୍ୱର ମାଝୀ-