ପ୍ରେମ ପ୍ରଣତି
ପ୍ରେମ ପ୍ରଣତି
ମନଟା ଜମା ବୁଝେନାହିଁ
ଆଖି ଖୋଜେ ତୋତେ ଖାଲି,
ବିରହୀ ପ୍ରାଣ ମୋ ଖୁସି ହୋଇଯାଏ
ତୋ ହସର ଖିଲିଖିଲି ।
ତୋ ବାଟକୁ ଏବେ ବି ବସିଛି
ସଦ୍ୟ ଚକୋରୀଟେ ଭଳି,
ଦିନରେ ସପନ ତୋ ପାଇଁ ଦେଖୁଛି
ନ କରି ତୋ ପାଖେ ଅଳି।
ଭାବିଲୁ କରୁଛି ତୋ ପାଖେ ବାହାନା
ଚାଲିଗଲୁ କରି ପର,
ଭାବ ବନ୍ଧନକୁ ଦୂରେ ଫିଙ୍ଗି ଦେଇ
କଲୁ କାହା ସାଥେ ଘର।
ପ୍ରେମର ଶକତି କଳି ପାରିଲୁନି
ପାଦରେ ଦେଲୁ ଆଡେଇ,
ପ୍ରକୃତ ପ୍ରେମକୁ ଯେବେ ତୁ ବୁଝିବୁ
ଯାଇଥିବି କା'ର ହୋଇ ।
ଅଭିଶାପ କି ବା ଅଭିମାନ ନୁହେଁ
ମନର କଥା ପ୍ରକାଶେ,
ପ୍ରତାରଣା ଦେଇ ପ୍ରତିଶୋଧ ନେଲୁ
କି ଅବା ନାହିଁ ମୋ ପାଶେ।
ଭୁଲିଯିବା ଯଦି ତୋର ଅଭିନୟ
କାହିଁକି ପାଇଲୁ ଭଲ,
ଆପଣାର କରି ପର କରି ମୋତେ
ଆଜି କରୁ କଲବଲ ।
ପ୍ରଣତି ମହାପାତ୍ର,ଶିକ୍ଷୟତ୍ରୀ
ବାଲେଶ୍ୱର