ତୃଷ୍ଣା
ତୃଷ୍ଣା
ବିରଜା ତ୍ରିପାଠୀ
ରାଧା ପାଇଁ ତୁମେ ମୁରଲୀ ଧରିଲ
ରଙ୍ଗ ଅଧରରେ ଧାରେ
ସହସ୍ର ତରଙ୍ଗ ବୋଳି ଦେଇଥିଲ
ରାଧାରାଣୀ ଅନ୍ତରରେ l
ତୁମ ବଂଶୀସ୍ଵର୍ଣ୍ଣେ ଯାଦୁ ବୋଳି ରାଧା
ହୃଦୟ କରିଲ ଜୟ
ମତୁଆଲା ହୋଇ ଲୋଡୁଥିଲେ ସେହି
ହେବାକୁ କଳଙ୍କମୟ l
ପଥବଣା କରି ଶିଖାଇଲ ପ୍ରେମ
ଖୋଇଦେଲ ଯେଉଁ ସ୍ଵାଦ
ପ୍ରତି ଲୋମକୂପ ହେଲା ପ୍ରାଣ ବନ୍ତ
ତୁମ ହୃଦେ ମିଶି ହୃଦ l
ଝୁରି ହେଉଥାନ୍ତି ତୁମ ଶ୍ରୀମୁଖକୁ
ମୂକକୁ କର ବାଚାଳ
ଜଳାଇଲ କିମ୍ପା ତୁମ ପ୍ରେମାନଳେ
ଖୋଜିଲେ ହୋଇ ଆକୁଳ l
ହରାଇଲେ ସତ୍ତା ବିଚ୍ଛେଦ ରାଗିଣୀ
ବଜାଇ ମନ ମନ୍ଦୀରେ
ଛଳନା ନୁହଁଇ ତୁମରି ପରଶ
ଭାବି ପ୍ରୀତି ଯନ୍ତ୍ରଣାରେ l
ପ୍ରେମର ସଳିତା ଜାଳି ଜଳି ଜଳି
ବାନ୍ଧିଲେ ପ୍ରେମ ରଜ୍ଜୁରେ
ପ୍ରେମର ବନ୍ଧନ ନୁହେଁ କେବେ ଭିନ୍ନ
ପ୍ରେମୀ ଯୁଗଳ ମଧ୍ୟରେ l
ତୁମ ପ୍ରେମ ଜାଲେ ପଡ଼ି ମନ-ମୀନ
ପାଏ ନାହିଁ ଥଳକୂଳ
ଋଷି, ମୁନୀ,ଜ୍ଞାନୀ ତୁମ ପ୍ରେମ ପାଇଁ
ହୁଅନ୍ତି ସଦା ବ୍ୟାକୁଳ l
ଏ ଜୀବନ ବୃକ୍ଷ ଅଟଇ ଅଳୀକ
ମିଛେ ହୁଏ ଉତ୍ ଫୁଲିତ
ତୁମ କରୁଣାରେ ଶୁଷ୍କ ତରୁ ମଧ୍ୟ
ହୋଇଥାଏ ପଲ୍ଲବିତ l
ହେ ଛନ୍ଦାଚରଣ ତୁମ ଦିବ୍ୟ ପ୍ରେମ
ମୋ ପାଇଁ କର ଅତୁଟ
ଜନ୍ମ ଜନ୍ମାନ୍ତର ରଖ ତୁମ ସାଥେ
ପୁରିଗଲେ ମୋର ଘଟ l
ସର୍ବସ୍ଵ ସମର୍ପି ତୁମକୁ ହେ କୃଷ୍ଣ
ଲଜ୍ଜା ନିବାରିଲେ କୃଷ୍ଣା
ବିପଦ ଭଞ୍ଜନ ବିପଦୁ ଉଦ୍ଧାରି
ମେଣ୍ଟାଇବ ମୋର ତୃଷ୍ଣା l