ବେସୁରା ଗୀତି-୭୩୪
ବେସୁରା ଗୀତି-୭୩୪
ସବୁ ତୁଳନାରେ ଅତୁଳନୀୟା ତୁ
ବର୍ଷା ଲୋ ନିରିମାଖି
ସବୁ ଉପମାରେ ଅନୁପମା ତୁହି
ଦେଖିଛି ଯାହା ମୋ ଆଖି ॥
ଅମାନିଆଁ ପଣ ତୋହର କାହିଁକି
କରେ ମୋତେ ଆନମନା
ତୋ ଅବୁଝା ପଣେ ବାନ୍ଧିଛୁ ମୋତେ ଲୋ
ମୁକୁଳି ପାରୁନି ଜମା ॥
ଥିରି ଥିରି ହୋଇ ଆସୁ ଯେତେବେଳେ
ଚହଲାଇ ଦେଉ ମନ
ଘଡଘଡି ଶବ୍ଦେ ଆସୁ ଯେତେବେଳେ
ଥରିଯାଏ ଶିରାବଣ ॥
ତୋ ଆଖିରେ ଯେବେ ଚମକେ ବିଜୁଳି
ହଜିଯାଏ ମନ ମୋର
ଘୋର ରଡି ଛାଡି ବର୍ଷିଯାଉ ଯେବେ
ଘୋଟିଯାଏ ଅନ୍ଧକାର ॥
ଥିରି ଥିରି ପାଦେ ଆ ଲୋ ବରଷା
ଛୁଇଁଦେ ସଭିଙ୍କ ପ୍ରାଣ
ତୋ ଛୁଆଁରେ ହସୁ ଏ ସାରା ଦୁନିଆ
ହସୁ ମୋର ଦେହ ମନ ॥