ପ୍ରକୃତିର ଅଭିସାର ଗାଥା { prakRtira abhisAra gAthA }
ପ୍ରକୃତିର ଅଭିସାର ଗାଥା { prakRtira abhisAra gAthA }
ପ୍ରକୃତିର ଅଭିସାର ଗାଥା
ନ ଥିଲା ବ୍ୟୋମନ ବାୟୁ ଅଗ୍ନି ଜଳ ଭୂମି |
ଅନ୍ଧକାର ବେଢ଼ିଥିଲା ଅନ୍ଧକାରେ ଚୁମି || -୧-
ଘଟନା ବିହୁନେ କାଳ ପ୍ରମିତିରହିତ
ଜଗତ ବିହୁନେ ଥିଲି ପ୍ରଶୁକ୍ତ ଅତ୍ୟନ୍ତ || -୨-
ସକଳ ଜୀବାତ୍ମା ଥିଲ ସମ୍ପୂର୍ଣ୍ଣ ମୂର୍ଚ୍ଛିତ,
ପରମପିତା-ଉଲ୍ଲାପେ ଅଭୟ-ଆଶ୍ରିତ || -୩
ନିରବଧି ପ୍ରତୀକ୍ଷାରେ ଥିଲି ଏକା ଏକା |
ବହୁ ଚତୁର୍ଯୁଗୀଠାରୁ ଦୀର୍ଘ ସେ ପ୍ରତୀକ୍ଷା || -୪-
ପରମପୁରୁଷଙ୍କଠୁ ପାଇ ମୁଁ ଆଦେଶ
ପରମ୍ପରା କ୍ରମେ ଧୀରେ ଗଢ଼ିଲି ଭୂବସ || -୫-
ସମଗ୍ର ପ୍ରଳୟେ, ପୁଣି ନବ କଳ୍ପାରମ୍ଭେ
ପରମାତ୍ମା ଅର୍ଚା ବଳେ ରହିଥିଲି ଦମ୍ଭେ || -୬-
ଅଦୃଷ୍ଟେ ମୋ ଥିଲେ କାହିଁ ମନୁ ମାର୍କଣ୍ଡେୟ |
ଯତ୍ନେ ଧରି ନବକଳ୍ପ ଗ୍ରୀଷ୍ମହାସ ଚୟ || -୭-
ପ୍ରଜ୍ଞା, ଅହଂ, ମନ, ଚିତ୍ତ ଗୋଟି ପରେ ଗୋଟି
ନବକଳ୍ପ କଳ୍ପେ ଗଲି ମୋ ଦେହୁ ପ୍ରକଟି || -୮-
ଗୁଣ, ତନ୍ମାତ୍ରା ସଙ୍ଗତେ ଇନ୍ଦ୍ରିୟ ପଞ୍ଚକ |
ତୁମ ପ୍ରସାଦନେ କଲି ଆଧ୍ୟାନେ ଉନ୍ମୁଖ || -୯-
ଲିଙ୍ଗଶରୀର, ତହିଁରୁ ପଞ୍ଚ ମହାତତ୍ଵ |
ପଞ୍ଜୀକୃତେ ତହୁଁ ପୁଣି ପଞ୍ଚ ମହାଭୂତ || -୧୦-
ଜଳ ସ୍ଥଳ ଅଗ୍ନି ବାୟୁ ପ୍ରଚଣ୍ଡ ସଙ୍ଗ୍ରାମେ |
ଛାୟାପଥ, ତାରାପୁଞ୍ଜ ମହାକାଶଧାମେ || -୧୧-
କ୍ରମେ ପୁଣି ଅଗଣିତ ଭୂମର୍ତ୍ତ୍ୟ ମଣ୍ଡଳେ
ରଚିଲି ସଙ୍ଗ୍ରାମ ବାୟୁ ଅଗ୍ନି ଜଳେ ସ୍ଥଳେ || -୧୨-
ସେ ମହାପ୍ରଘର୍ଷ ଜ୍ଵାଳା ବ୍ରହ୍ମାଣ୍ଡ ବିଗ୍ରହେ |
ସହିଛି ଅସୀମ, ତୁମ ଆଗମ ଆଗ୍ରହେ || -୧୩-
ହ୍ଲାଦକ ପର୍ଯ୍ୟାସେ କେତେ କାଳେ ଧୀରେ ଧୀରେ |
ସରିତ ସିନ୍ଧୁ ପର୍ବତ ବଲ୍ଲୁର ସଞ୍ଚରେ || -୧୪-
ଧୀରେ ଭୂମଣ୍ଡଳ ହେଲା ବାସ ଅର୍ହତ୍ତମ |
ମାର୍କଣ୍ଡେୟ କରିଗଲେ କଣିକା ବପନ || -୧୫-
ତୁମେ ସର୍ବେ ଜୀବ ହେଲ ପ୍ରସ୍ଵାପୁ ଉତ୍ଥିତ |
ମୁଁ ଆଧାର ପିଣ୍ଡ ତୁମେ ଆଧେୟ ସଂସ୍ଥିତ || -୧୬-
ଆରାଧିକା ରାଧା ମୁଁ ଗୋ ତୁମେ ପ୍ରସାଦିତ |
ଆହେ କୃଷ୍ନ, ବିମୋହନ, ଧରାବତରିତ || -୧୭-
ଆରାଧିକାରାଧିତ ଏ ପବିତ୍ର ସମ୍ବନ୍ଧ
ଆଧାରାଧେୟ ବନ୍ଧନ ନିସର୍ଗ ସମସ୍ତ || -୧୮-
ତୁମେ ମୋ ଉପାସ୍ୟ ଦେବ, ପରିଚାର୍ଯ୍ୟ ମୋର
କଳ୍ପେ କଳ୍ପେ କରୁଥିବି ତୁମ ଅଭିସାର || -୧୯-
ଲଲାଟେନ୍ଦୁ କବି ୦୭-ମେଁ-୨୦୧୬
ଟିପ୍ପଣୀ: “ପ୍ରକୃତିର ଅଭିସାର ଗାଥା” [ପ୍ରକୃତି ବା ଜଡ଼ ପିଣ୍ଡ, ପୁରୁଷ ବା ଜୀବାତ୍ମା ସକଳକୁ ତା ପ୍ରେମ-ପ୍ରତୀକ୍ଷାର କାହାଣୀ ଶୁଣାଉଛି]
ପଦ - ୦୧ - ବ୍ୟୋମନ=ଆକଶ, ether
ପଦ - ୦୨ - ପ୍ରମିତି=ମାପ (ବ୍ୟବସ୍ଥା); କିଛି ଘଟନା ନ ଥିବାରୁ, ଘଟନାର ଅନ୍ତରାୟ ବିହୁନେ ସମୟ ମାପିବାର ଉପାୟ ନଥିଲା | ଜଗତ=ଗଚ୍ଛତି ଇତି ଜଗତ୍, ଗତିଶୀଳ (କିଛି) ନ ଥିବାରୁ ପ୍ରଶୁକ୍ତ (ଏକାକୀ, lonely) ଥିଲି |
ପଦ - ୦୩ - ଉଲ୍ଲାପ=କୋଳ, କ୍ରୋଡ଼;
ପଦ - ୦୪ - ନିରବଧି=ଅବଧି ନିର୍ଦ୍ଧାରିତ ବା ଜ୍ଞାତ ନ ଥିବା; ଚତୁର୍ଯୁଗୀ=ସତ୍ୟରୁ କଳି ଯାଏ ୪ ଯୁଗ;
ପଦ - ୦୫ - ପରମପୁରୁଷ=ଈଶ୍ବର; ପରମ୍ପରା କ୍ରମେ=ପର୍ଯ୍ୟାୟ କ୍ରମେ, ଯାହା ପରେ ଯାହା ଗଢ଼ିବା ନିୟମ ବା ଯୁକ୍ତିସଂଗତ; ଭୂବସ=ଭୂମି ବା ପୃଥିବୀରେ ବାସୋପଯୋଗୀ ପରିବେଶ;
ପଦ - ୦୬ - ଅର୍ଚା=ଅର୍ଚନା; ମାର୍କଣ୍ଡେୟ=ଏହି କଳ୍ପର ମନୁ;
ପଦ - ୦୭ - ଅଦୃଷ୍ଟେ=(ଅନ୍ଧକାର ହେତୁ ମୋ) ଅଦୃଷ୍ଟରେ; ଗ୍ରୀଷ୍ମହାସ=ଗ୍ରୀଷ୍ମରେ ଯାହା ଝଡ଼ିପଡ଼େ ଅର୍ଥାତ୍ ବୀଜ;
ପଦ - ୦୮ - ପ୍ରଜ୍ଞା=ବୁଦ୍ଧି; ଅହଂ=ଅହଂକାର; ନବକଳ୍ପ କଳ୍ପେ=ନୂତନ ସୃଷ୍ଟି ଉଦ୍ଦେଶ୍ୟରେ; ପ୍ରକଟି=ପ୍ରକଟ କରି, ପରିସ୍ଫୁଟ କରି;
ପଦ - ୦୯ - ଗୁଣ=ରଜ, ତମ ଓ ସତ୍ଵ; ତନ୍ମାତ୍ରା=ଶବ୍ଦ, ସ୍ପର୍ଶ ରୂପ, ରସ ଓ ଗନ୍ଧ, ଏହି ୫ ଧର୍ମର ଆହରଣ ଶକ୍ତି; ଇନ୍ଦ୍ରିୟ ପଞ୍ଚକ=ଉପରୋକ୍ତ ୫ ଧର୍ମକୁ ଆହରଣ କରିବାର ସୂକ୍ଷ୍ମ ୫ ସାଧନ; ପ୍ରସାଦନେ=ପ୍ରସାଦନ (ଭୋଗ) ନିମିତ୍ତ; ଆଧ୍ୟାନେ=ଆଧ୍ୟାନ (ଯତ୍ନ) ସହ;
ପଦ - ୧୦ - ଲିଙ୍ଗଶରୀର=ସୂକ୍ଷ୍ମ, ମୂଳ ଭୂତ ବା ସୃଷ୍ଟ ପଦାର୍ଥ; ମହାତତ୍ତ୍ବ=ଆକାଶ, ବାୟୁ, ଅଗ୍ନି, ଜଳ ଓ ସ୍ଥଳ: ମୂଳ ରୂପରେ; ପଞ୍ଜୀକୃତେ....ପଞ୍ଚ ମହାଭୂତ=ଏହି ପଞ୍ଚତତ୍ତ୍ବର ପଞ୍ଜୀକରଣରେ; [ପଞ୍ଜୀକରଣ=ଆକାଶର ପ୍ରତି କଣିକାରେ ଅର୍ଦ୍ଧାଂଶ ଆକାଶ, ଏକ ଅଷ୍ଟଂlଶ ଲେଖାଏ ବାୟୁ, ଅଗ୍ନି, ଜଳ ଓ ଭୂମି ମିଶି ଆକାଶ {ether} ମହାଭୂତ ହୁଏ; ଏହି ପରି ଅନ୍ୟ ସମସ୍ତ ମହଭୂତ ଗଠିତ ହୁଅନ୍ତି];
ପଦ - ୧୧, ୧୨ ଓ ୧୩ - ପ୍ରଘର୍ଷ=ସଂଘର୍ଷ; [ବାୟୁ, ଅଗ୍ନି, ଜଳ ଓ ଭୂମି ବ୍ୟୁତ୍ପାତରେ ଭାଗ ନିଅନ୍ତି, ଆକାଶ ଭାଗ ନିଏ ନାହିଁ];
ପଦ - ୧୪ - ହ୍ଳାଦକ=ହର୍ଷ ବା ଆଶ୍ବସ୍ତି; ପର୍ଯ୍ୟାସେ=ପର୍ଯ୍ୟlସ (ଚତୁର୍ଦିଗରେ କ୍ଷେପଣ) କରି; ବଲ୍ଲୁର=ବାଲୁକାମୟ ବା ମରୁ ଭୂମି;
ପଦ -୧୫ - ଅର୍ହତ୍ତମ=ଉପଯୋଗୀ; କଣିକା=(ନୂତନ ସର୍ଗ ପାଇଁ ସେହି ମାର୍କଣ୍ଡେୟ ମନୁ ରଖିଥିବା) ବୀଜ;
ପଦ – ୧୬ - ପ୍ରସ୍ଵାପୁ=ପ୍ରସ୍ଵାପ (ନିଦ୍ରା)ରୁ; ଆଧାର ପିଣ୍ଡ=(ତୁମକୁ, ଅର୍ଥାତ୍ ଜୀବାତ୍ମା ମାନଙ୍କୁ) ଧାରଣ କରିଥିବା ଦେହ; ଆଧେୟ=(ଆଧାରିତ, ନିବାସୀ) ଜୀବାତ୍ମା ସମୂହ; ସଂସ୍ଥିତ=ସଂସ୍ଥାପିତ (ସେହି ଜୀବାତ୍ମା ସମୂହ);
ପଦ - ୧୭ - ପ୍ରସାଦିତ=ତୁଷ୍ଟିକୃତ, ପୂଜିତ; କୃଷ୍ନ=ଯେ (ମୋତେ, ଅର୍ଥାତ୍ ପ୍ରକୃତିକୁ) ଆକର୍ଷଣ କରେ; ଧରାବତରିତ=(ପ୍ରଳୟ ଅନ୍ତେ ନୂତନ ସର୍ଗରେ) ଧରାରେ ଅବତରଣ କରିଥିବା;
ପଦ - ୧୮ - ଆରାଧିକାରାଧିତ=ଆରାଧିକା +ଆରାଧିତ (ପ୍ରକୃତି ବା ଜଡ଼ ପିଣ୍ଡ ଓ ଜୀବାତ୍ମା ସମୂହ); ଆଧାରାଧେୟ=ଆଧାର +ଆଧେୟ (ପ୍ରକୃତି ବା ପିଣ୍ଡ ହେଉଛି ଆଧାର ବା ଦେହ ଓ ଜୀବାତ୍ମା ସମୂହ ସେଥିରେ ଆଧେୟ ବା ଆଶ୍ରିତ ଦେହୀ); ନିସର୍ଗ=ସୃଷ୍ଟି, ଜୀବ [ସମଗ୍ର ସୃଷ୍ଟିରେ କିଏ କେଉଁଠି ଆଶ୍ରୟ ତ ଅନ୍ୟ କେହି ସେଥିରେ ଆଶ୍ରିତ, ପୁଣି ଅନ୍ୟଠି ଯେ ଆଶ୍ରିତ ସେ ମଧ୍ୟ କାହାର ଆଶ୍ରୟ ହେଇ ପାରେ, ଯଥା ଭୂମି ଆଶ୍ରୟ, ଗୃହ ଆଶ୍ରିତ ଓ ଗୃଗ ଆଶ୍ରୟ ତ ତନ୍ମଧ୍ୟରେ ଆସବାବ ଆଶ୍ରିତ, ଆସବବ ଆଶ୍ରୟ ହେଲେ ତଦୁପରେ ଗୃହୋପକରଣ ଆଶ୍ରିତ, ଇତ୍ୟାଦି];
ପଦ - ୧୯ - ପରିଚାର୍ଯ୍ୟ=ପରିଚର୍ଯ୍ୟାର ଯୋଗ୍ୟ ବା ବିଷୟ; କଳ୍ପେ କଳ୍ପେ=ପ୍ରତି ସୃଷ୍ଟିରେ (ପ୍ରଳୟାବସ୍ଥାରେ ଓ ନବସର୍ଜନା ବେଳେ); ଅଭିସାର=ପ୍ରେମ-ପ୍ରତୀକ୍ଷା;