ଜୀବନର ଅବଶୋଷ
ଜୀବନର ଅବଶୋଷ
ଜୀବନ ରେ କିଛି କରି ପାରିଲିନି
ଅବଶୋଷ ନେଇ ଫେରି ମୁଁ ଯିବି
ନିଜ ଜଂଞ୍ଜାଳକୁ ସମ୍ଭାଳି ସମ୍ଭାଳି
ସମୟ ତ ସାରି ସାରି ମୁଁ ଦେବି ।
ଆସି ଥିଲି ଏଇ ଦୁନିଆକୁ ମୁହିଁ
ଶ୍ରେଷ୍ଠ ଏ ମଣିଷ ମୋର ଜୀବନ
କର୍ମ, ଧର୍ମ, ଦୟା, କ୍ଷମା ଗୁଣ ନେଇ
ପାଇଥିଲି ଏହି ପୁଣ୍ୟ ଜନମ ।
ଵିଷୟ ବାସନା ଭୋଗ ବିଳାସରେ
ବିତାଇ ଦେଲି ସେ ସବୁ ସମୟ
ଚାଲିଗଲା ପରେ ଭୂଲି ଯିବେ ସବୁ
ଦୁନିଆର ଅଟେ ଏଇ ନିୟମ ।
ରହିଅଛି ବାକି ଯେତିକି ଆୟୁଷ
ରୋଗରେ ଶରୀର ଯେବେ ଥକିବ
ଧୀରେ ଧୀରେ ଜରା ଯନ୍ତ୍ରଣା କଷ୍ଟରେ
ଦିନେ ଏ ଶରୀର ନିଶ୍ଚେଷ୍ଠ ହେବ ।
ମୁଠାରୁ ଯେପରି ଖସି ଯାଏ ବାଲି
ଖରଚ ହୁଅଇ ହାତର ଧନ
ସମୟ ସେପରି ସରି ସରି ଯାଏ
ପ୍ରଭୁ ପାଦପଦ୍ମେ ରହୁନି ଧ୍ୟାନ ।
କାହାପାଇଁ କିଛି କରିପାରିବାର
ମହତ ଆକାଂକ୍ଷା ମନରେ ଅଛି
ତଥାପି ଅନେକ ଆସୁଛି ସମସ୍ୟା
ପାଦ ମୋର କାହିଁ ଥକି ଯାଉଛି ।
ତୁଟିଲାଣି ବଳ କମିଲାଣି ଶକ୍ତି
କରୁଛି ପ୍ରାର୍ଥନା ତୁମକୁ ପ୍ରଭୂ
ଶେଷ ସମୟକୁ ଦେବ ହେ ସାହସ
ପର ଉପକାରେ ଜୀବନ ଯାଉ ।