ଅସତ୍ୟ ସହରେ
ଅସତ୍ୟ ସହରେ
ଅସତ୍ୟ ସହରେ ସତ୍ୟ ନିରୁଦ୍ଧିଷ୍ଟ
ତା'ଲୁହ ଝରୁଛି
ନୟନ ନିଭୃତ କୋଣେ ।
ମିଞ୍ଜି ମିଞ୍ଜି ହୋଇ ତା'ଦୀପ ଜଳୁଛି
ପ୍ରାଞ୍ଜଳ ପ୍ରହାରେ
କେତେ କ୍ଳିଷ୍ଟ,ସିଏ ଜାଣେ ।
ଜଳୁଛି ପ୍ରତିଷ୍ଠା ହଜିଛି ଶର୍ମିଷ୍ଠା
ଲକ୍ଷେ ଦେବଯାନୀ
ପ୍ରତାରଣା ଆଘାତରେ ।
ବଶିଷ୍ଠ ସମ୍ପ୍ରତି ନିର୍ବାକ ନିଶ୍ଚଳ
ବ୍ୟକ୍ତିରେ ବ୍ୟକ୍ତିରେ
ସଂଘତିର ଅଭାବରେ ।
ଆତଙ୍କ ରାଜରେ ସହର କମ୍ପୁଛି
ପ୍ରାଣ ଭିକ୍ଷା ମାଗେ
ସତ୍ୟ ଶାନ୍ତି ଦୟା କ୍ଷମା ।
ନୃଶଂସତା ଆଉ ନିର୍ଦ୍ଦୟ ଦୁର୍ବାସା
ଆଜିର ସହରେ
କରେ କ୍ରୁର ପରିକ୍ରମା ।
କାଲିର ରକ୍ଷକ ଆଜି ଯେ ଭକ୍ଷକ
ଭକ୍ଷଣ ନିଶାରେ
ମୃଦୁ ମୃଦୁ ମତୁଆଲା ।
ସୁରକ୍ଷା କବଚ ସଙ୍କୁଚିତ ହୋଇ
ଆଶ୍ରୟ ଆଶାରେ
ପାଲଟିଛି ସେ ଅବଳା ।
ନୃତ୍ୟ ବି ଏଇଠି ତାଣ୍ଡବ କରୁଛି
ସଙ୍ଗୀତ ସାଜିଛି
କ୍ରନ୍ଦନ ଦୁନ୍ଧୁଭି ଧୁନୀ ।
କୋଣାର୍କର କଳା ସନ୍ତ୍ରାସେ ଶଙ୍କୁଛି
ସର୍ବତ୍ର ଶୁଭୁଛି
ବିକଳାଙ୍ଗ ପଦ ଧ୍ୱନୀ ।
କାହିଁ ଗଲା ଜାତି ସ୍ବର୍ଣ୍ଣ ଇତିହାସ
ଗଲେ କାହିଁ ସେଇ
ବୀର ଆଉ ବୀରାଙ୍ଗନା ।
ମୁକ୍ତିର ମଶାଲ ଯା'ହାତରେ ଥିଲା
କ୍ଷେପଣାସ୍ତ୍ର ଆଉ
ସନ୍ତ୍ରାସବାଦର ବାନା ।
ମିଥ୍ୟା ପ୍ରବଞ୍ଚନା କପଟ ଛଳନା
ଶସ୍ତାରେ ଶସ୍ତାରେ
ବିକ୍ରି ହେଉଛି ବଜାରେ ।
ସତ୍ୟର ମଣିଷ ପ୍ରାଣ ଭିକ୍ଷା ମାଗେ
ରାସ୍ତାରେ ରାସ୍ତାରେ
ସତ୍ୟକୁ କିଏ ପଚାରେ !
ହେ ସତ୍ୟ,ସିଦ୍ଧାନ୍ତ ତୁର୍ଯ୍ୟ ପ୍ରତୀକ୍ଷିତ
ନୁହଁ,ନୁହଁ ତୁମେ
ଭାଗ୍ୟହରା,ବେସାହାରା ।
ଏବେବି ବଞ୍ଚିଛି ଛିଦ୍ର କୋଣେ କିଛି
ତୁମରି ସନ୍ତକ
ବଳିଷ୍ଠ ,ବଜ୍ର ,ନିଆରା ।
ସ୍ପଷ୍ଟବାଦୀ ହୁଅ, ସନ୍ତ୍ରାସ ବାଦ କୁ
ନିର୍ଲଜ ନାମାଙ୍କି
ବୀର୍ଯ୍ୟ ଗର୍ଭେ ଦିଅ କ୍ଷେପି ।
ଧର୍ମ ଧ୍ବଜା ଦୃଢ଼ ପ୍ରତିଷ୍ଠିତ କର
ଆତଙ୍କ ବଳୟେ
ସନ୍ତ୍ରାସ ବାଦକୁ ଚାପି ।
ଦେବଲୋକ ଅବା ମର୍ତ୍ତ୍ୟ ଅମର୍ତ୍ତ୍ୟରେ
ବିପ୍ଳବର ବହ୍ନି
କର ତୀବ୍ର ତେଜିୟାନ ।
ସର୍ବତ୍ର ସତ୍ୟର ଜୟ ଜୟକାର
ତୁମରି ବିଜୟ
ସନ୍ତ୍ରାସେ କରୁ ଶ୍ମଶାନ ।