ଗୀତିଫୁଲ
ଗୀତିଫୁଲ
ଗୀତିଫୁଲ
ଯେଉଁ ଶାଖା ମୋତେ ଖୁଆଇ ପିଆଇ
ରଙ୍ଗ ବି ଦେଇଛି ଭରି
କଣ୍ଟା ବି ଦେଇଛି ବଞ୍ଚାଇଛି ଯିଏ
ସୋଦର ଲକ୍ଷ୍ମଣ ପରି ।
ଅଭିଭାବକ ସେ ଇଚ୍ଛା ମୁତାବକ
ଝରାଇ ପାରନ୍ତି ତଳେ
ମାଳିର ସମ୍ବନ୍ଧେ ସମର୍ପି ପାରନ୍ତି
ନିଜ ଅଧିକାର ବଳେ ।
ଭଲଭାବେ ଜଣା ପାଖୁଡ଼ା ପାଖୁଡ଼ା
ଛିଡିଯିବ ଦିନେ ଶେଷେ
ତା' ଆଗରୁ ସଖି ପବନ ସହିତ
ଖେଳୁଥିବି ପ୍ରତିବେଶେ ।
ଗନ୍ଧକୁମାରୀ ମୁଁ ତ୍ରୁଟି ଥିଲେ ପଛେ
ଯାଇପାରେ ମାଗି କ୍ଷମା
ରାସ୍ତାର ବିଟପୀ ପଳାଶ ଭଳିଆ
ଦେଖାଇ ହେବିନି ଜମା ।
ଶହେ ଫଗୁଣ ବି ଆସୁ ଅବା ଯାଉ
ଋତୁଚକ୍ର ହେଉ ବନ୍ଦ
ବିକିଯାଉ ସବୁ ବଗିଚାର ଫୁଲ
ବିକିବିନି ମୋର ଗନ୍ଧ ।
କିପାଇଁ ଚକ୍କର ମାରୁଛ ଭ୍ରମର
ବାସନାରେ ହୋଇ ଅନ୍ଧ
ମୂଲଚାଲ ମୋର ହେବନାହିଁ ଆଉ
ସଂସ୍କାର ମୋ ସଉଗନ୍ଧ ।
କୁହୁକ ଲଗାଇ ମନ ମୋହିବାକୁ
କରିଛ କପଟ ଛନ୍ଦ
ଝରାପତ୍ର ଭଳି ଝରିଯିବି ପଛେ
ଭାଙ୍ଗିବିନି ଅନୁବନ୍ଧ ।
ମହା ଭାବବେତ୍ତା ପ୍ରବନ୍ଧ ବିକ୍ରେତା
ହୁଅ ପଛେ ମୁକ୍ତଛନ୍ଦ
ରୀତିଯୁଗ ଗୀତି ଶସ୍ତାରେ ମିଳେନି
କିପାଇଁ ରଖିଛ ଦ୍ବନ୍ଦ୍ବ !