ସରମ
ସରମ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଲାଗିଲା ସତେ କି ସଖି ! ସରମ ସେ ଦିନ
ଯେଉଁ ଦିନ ବସିଥିଲୁ ତିମିର ନିଶାରେ
ଉଭୟେ ବାଲୁକା ପରେ,ପାରାବାର କୂଳେ ?
ସ୍ୱର୍ଣ୍ଣ-ବାହୁ-ଲତା ତବ ଛନ୍ଦିଥିଲା ମୋର
ପ୍ରୀତି-ସୁଧାଭରା ବୁକୁ ; ମନ୍ଦ ସମୀରଣ
ପରିହାସେ ଟାଣୁଥିଲା ପାଟଳ ଅଞ୍ଚଳ ?
ସୁନୀଳ ଚିକୁର ଚାରୁ ଢାଙ୍କୁଥିଲା ତବ
ରମ୍ୟ ହୈମ ମୁଖ-ଶଶୀ,ଆଷାଢ଼ ବଉଦ
ଯଥା ଶୀତ-ଚନ୍ଦ୍ରାତପେ,ନିବିଡ଼ ଚୁମ୍ବନ
ଲଭୁଥିଲା ଗଣ୍ଡ ଯେବେ,ଘୁଞ୍ଚୁଥିଲା ଅଳ୍ପ
କବରୀ ସମୀରେ ; ସଜା କବରୀ-କୁସୁମ
କରାଘାତେ ଯାଇଥିଲା ଅସଞ୍ଜତ ହୋଇ ?
ସହସା ବିଦ୍ୟୁତ ଛଟା ଖେଳିଗଲା ନଭେ
ଚାଲିଗଲୁ ତରତରେ ଅସଞ୍ଜତ ବାସେ ?
ସମାପ୍ତ