ବନ୍ଧୁତ୍ବ
ବନ୍ଧୁତ୍ବ
ବନ୍ଧୁତ୍ବ ଶବ୍ଦରୁ ଝରଇ ଅମୃତ
ଭାଷାରେ ହୁଏନି ବ୍ୟକ୍ତ
ବନ୍ଧତ୍ବ ମହକ ସ୍ବର୍ଗାୟ ପୁଲକ
ସ୍ବାର୍ଥ ର ବଳୟୁ ମୁକ୍ତ ।।
ବନ୍ଧୁତ୍ବର ପଥ କେତେଯେ ବନ୍ଧୁର
କେବେ କଣ୍ଟା କେବେ ଫୁଲ
ହସ ଲୁହେ ଭରା ବନ୍ଧୁତ୍ବର ଧାରା
ଚିର ଅମ୍ଳାନ ଶାଶ୍ବତ।।
ସୁଖ ଦୁଃଖ ସାଥୀ ହୃଦୟର ଜ୍ୟୋତି
ବନ୍ଧୁତ୍ବ ଭାବ ବନ୍ଧନ
ତୁଟେ ନାହିଁ କେବେ ଅଦିନ ଝଡରେ
ଝଲମଲ ଆୟୁଷ୍ମାନ।।
ବନ୍ଧୁତ୍ବ ମୂର୍ଚ୍ଛନା ଝଂକାର ତୋଳଇ
ରାଜଦ୍ବାରେ ଶ୍ମଶାନରେ
ହସରେ ଲୁହରେ ଦୁଃଖରେ ସୁଖରେ
ଛାଇ ଆଲୁଅ ଖେଳରେ ।।
ଅତୁଟ ଅଜୟ ଅମର ଭାସ୍ବର
ବନ୍ଧୁତ୍ବର ସ୍ବର ତାଳ
ତ୍ୟାଗ ବଳିଦାନ ମନ୍ତ୍ରରେ ଛନ୍ଦିତ
ବନ୍ଧୁତ୍ବ ଅମୂଲ ମୂଲ ।।
ମନର ଭାଷା ମୋ ଅସ୍ପଷ୍ଟ ଅବ୍ୟକ୍ତ
ପଥ ହେଲା କଣ୍ଟକିତ
ତଥାପି ଖୋଜେ ମୁଁ ନିରୋଳା ମୁହୂର୍ତ୍ତେ
ବନ୍ଧୁତ୍ବ ର ଦୁଇ ହାତ ।।
ସରଳ ବିଶ୍ବାସ କୋମଳ ହୃଦୟ
ବନ୍ଧୁତ୍ବ ର ଆବରଣ
ସ୍ବାର୍ଥ ଅହଙ୍କାର ଅନ୍ଧ ଅହମିକା
ତୃପ୍ତିହୀନ କାନ୍ତିହୀନ ।।
ଆଜିର ହସଟି ହୋଇପାରେ ଶେଷ
କାଲିକି ନଥିବ ଜଣା
ଆଜିର ରାତିଟି ହୋଇପାରେ ଶେଷ
ହଜିଯିବ ମୋ ଠିକଣା।।
ତଥାପି କାହିଁକି କରୁଛ ଛଳନା
ଅମା ଅନ୍ଧକାରେ ରୁହ
କେତୋଟି ଦିନର ଅତିଥି ହେ ବନ୍ଧୁ !
ହସି ପଦେ କଥା କୁହ ।।
--------------
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ,ବଡବିଲ।