ମୁଁ ଓ ମୋର ନୀରବତା
ମୁଁ ଓ ମୋର ନୀରବତା
ଏମିତି ଏକ ଶୁନ୍ୟ ବଳୟର ଚତୁଃପାଶ୍ୱର୍ରେ
କିଛି ନୂତନତାର ଆଶା ନେଇ ,
ପ୍ରତିଟି ରାତି ପାହି ସକାଳ ହୁଏ ମୋର
ଉଦିତ ସୂର୍ଯ୍ୟର କଁଅଳ କିରଣରେ ,
ପ୍ରଖର ରୌଦ୍ରତେଜ ରେ ଦିନ ଦ୍ବି ପ୍ରହର
ଆଉ ଅପରାନ୍ହ ପରେ ନଇଁ ଆସୁଥିବା
ସଞ୍ଜ ର ମୃଦୁ ସମୀର ......
କେମିତି ଅଲଗା ଦିଶେ ନିଶା ଯାମିନୀରେ
ନୀଳ ଆକାଶର ରଙ୍ଗ
ତୋଫା ଜହ୍ନର ରୂପ ଲୋଭୀଲା ଲୋଭୀଲା
ମିଟି ମିଟି ତାରାର ଆଖିର ଇସାରାରେ ,
ମୋ ଭିତରେ ଧସେଇ ପଶିଆସେ
ଅନେକ ଖାମ ଖିଆଲ ତରଙ୍ଗର ଲହଡି
ପିଟିହୁଏ ଯାଇ ମାନବିକତାର କାନ୍ଥରେ
ଗଭୀର ଆର୍ତ୍ତନାଦ କରିଉଠେ ଆତ୍ମା ,
କେତେ ଅସହାୟ ଆଉ ସ୍ଥାଣୁ ସତେ
ମୁଁ ଆଉ ମୋର ଏ ନୀରବତା ।
ମୋ ଆଖିର ପାଣି ମୋତେ ଲୁଣିଆ
ପରିବର୍ତ୍ତେ ଲାଗେ ସ୍ୱାଦ ହୀନ
ହୃଦୟର ଗତି ଲାଗେ ଛନ୍ଦ ହୀନ
ସତେ ଅବା ମଣିଷର ବ୍ୟକ୍ତିତ୍ୱ ବିକାରଗ୍ରସ୍ତ
ପାଗଳର ସ୍ପନ୍ଦନଶୁନ୍ୟ ଜୀବନ ,
ପାଣିଚିଆ ଲାଗେ ,ସବୁ ଶାସ୍ତ୍ର ପୁରାଣର ଆଦର୍ଶ
ଫିକା ପଡେ ମାନବୀୟ ଭାବଧାରାର ପ୍ରଚାର
ଦାର୍ଶନିକଙ୍କର ଜୀବନ ଦର୍ଶନ
ବୁଦ୍ଧିଜୀବୀଙ୍କର ସ୍ୱତନ୍ତ୍ର ବିଚାର
ଲେଖକ ର କଲମର ଆଲୋଡନ ,
ଯେବେ ଦେଖେ ସାମାଜିକ ଅବୈଧ ବନ୍ଧନ
ମାନବିକତାର ମୃତ୍ୟୁ , ବିଜୟୀ ପାଶବିକତା
ଅର୍ଦ୍ଧ ଦଗ୍ଧ ଚଳନ୍ତି ଲାସ ଠାରୁ ଅଧିକ ଭୟଙ୍କର ,
ସବୁ ଦେଖି ନିଶୁଚୁପ ଓ ନିଥର ହୋଇ ବସିଥାଏ
ମୁଁ ଆଉ ମୋର ଏ ନୀରବତା ।
ଆତ୍ମାରୁ ଛଳନାର ବର୍ମ ଖୋଲିଯାଏ ଯେବେ
ସ୍ତମ୍ଭୀଭୂତ ହୋଇଯାଏ ସୃଷ୍ଟି ସେ ,
ଦାନବର ହୁଙ୍କାରରେ
ଯିଏ ଖାଲି ଚିରିପାରେ ,ବିଦାରି ପାରେ
ନଖ ମୁନେ ,କରିପାରେ ଦନ୍ତକ୍ଷତ କଁଅଳ ଦେହରେ
ଦେଇପାରେ ଅଶେଷ ଯନ୍ତ୍ରଣା ,
ସେତେବେଳେ ବି ମୋ ଭିତରେ ଅଶେଷ କୁଣ୍ଠା
ସେ ହୋଇପାରେ ମୋ ଅତି ନିଜର
ଜାୟା ,ଜନନୀ ,ଭଗିନୀ ଅବା ଦୁହିତା ......
କିଛି କରିବା ଦରକାର ନାହିଁ
ଏ ହା -ହୋଲ୍ଲା ମାତ୍ର କ୍ଷଣକ ପାଇଁ
କେଇଟା ମୁହୂର୍ତ୍ତରେ ଅପସରିଯିବ
ତଥାକଥିତ ଜୀବନଚର୍ଯ୍ୟା ପୁଣି ଚାଲିବ
ଏବଂ ହେଉଥିବ ପୁନରାବୃତ୍ତି ସେ କଳଙ୍କିତ
ଅଧ୍ୟାୟର ଅଙ୍କାବଙ୍କା ରାସ୍ତା ,
ସବୁ ବୁଝି ସବୁ ଜାଣି ସହିଯାଉଥିବା
ନିର୍ଲ୍ଲଜ କ୍ଳୀବତାରେ ଆବଦ୍ଧ
ମୁଁ ଆଉ ମୋର ଏ ନୀରବତା ।
ସିପ୍ରା ନାମତା ( ନମ୍ରତା )
ବାରିପଦା