ଝିଅ
ଝିଅ
ଗଲା ଫଗୁଣରେ କାହିଁ ତା' ଆଖିରେ
ନଥିଲା ତ ଏତେ ରଙ୍ଗ
ଗଲା ଶ୍ରାବଣରେ କାହିଁ ତା' ଗୀତରେ
ସୁର ତ ନଥିଲା ଭଙ୍ଗ
ଚପଳ କୋମଳ ଅଙ୍ଗ
ଶିମିଳି ଭଳିଆ ଦିନୁଦିନ ବଢି
ବଦଳି ଯାଉଛି ଢଙ୍ଗ ।
ଲଗାତାର ଝଡି ଲାଗି ରହିଥିଲା
ସେବର୍ଷ ଭାଦ୍ରବ ମାସେ
ନଦୀ ତଡାଗ ତ ଭରି ସାରିଥିଲା
ଧାନବିଲେ ପାଣି ଭାସେ
ଅଚାନକ ସିଏ ଆସେ
କୁଆଁ କୁଆଁ ରାବେ ଗଗନ କମ୍ପାଇ
ଜନମିଲା ମୋର ବାସେ ।
ବିତିଗଲା ଦିନ ସମୟ ଏଥର
ଲେଉଟାଇ ନେଲା କଡ଼
କୂପ ସରୋବର ଶୁଖି ଯାଇଅଛି
ନାହିଁ ସେ ଝଡି କି ଝଡ଼
ଝିଅ ମୋ' ହେଲାଣି ବଡ଼
ରସାତଳେ ପାଣି ଆଖି ପାଉନାହିଁ
ମନ ଲାଗେ ଗଡ଼ବଡ଼ ।
କାଶ ଶରବନେ ନଦୀରେ କେଉଁଠି
ଦିଶଇ ପତଳା ଧାରା
ପଲକ ଝୁଙ୍କାଇ ଛୋଟ ତୁ କରିବୁ
ନିଦର ସପନ ସାରା
ନହେଲେ ତ ନାହିଁ ଚାରା
କଥା ମାନି ଏବେ ଚାଲିବୁ ଲୋ ଝିଅ
ତୁ ପରା ମୋ' ଆଖିତାରା ।
ଡେରି ଯାଏଁ କାହା କଥା ଶୁଣିବୁନି
ଡେରି ହେଲେ ହେଉ ସିନା
ଓଠ ଯାଏଁ କେବେ ଆଣିବୁନି ହସ
ଯିଏ ଥାଉ ଯେତେ ଚିହ୍ନା
ରହିବୁ ଆବେଗହୀନା
ଦୁଃଖ କି ବିଚାର ମନରେ ମାରିବୁ
ଆଖିକୁ ଆଣିବା ବିନା ।
ଯେଉଁଦିନୁ ବଡ଼ ହେଲୁଣି ତୁ ଝିଅ
ଭିନ୍ନ ଭାବନାରେ ଜଡି
ଫୁଲରେ ରସି ତୁ ପତଙ୍ଗ ଦେଖିଲେ
ଧାଇଁବୁନି ପଛେ ପଡି
ଗଛକୁ ଯିବୁନି ଚଢି
ତୋ' ବଢିବା ସାଥେ ଶିଆଳ ଛଞ୍ଚାଣ
ଅଧିକ ଗଲେଣି ବଢି ।