ସ୍ବାକ୍ଷରିତ ପଥର
ସ୍ବାକ୍ଷରିତ ପଥର
ଜେଜେଙ୍କ ଅମଳୁ ଅଧାପକ୍କା ତଳୁ
ସନ୍ତାଏ ଏ ଘରେ ପାଣି
ଭଙ୍ଗା ହେଲା ପରେ ଭିତ୍ତିର ଉପରେ
ଖଞ୍ଜା ହେଲା ଶିଳା ଆଣି ।
ପୁରୁଣା ପଥରେ ଗଢା ସେ ସତରେ
ଗାଉଥିଲା ଇତିହାସ
ପୂର୍ବପୁରୁଷର ଝାଳରେ ଉଷର
ମାଟିରେ ଆତ୍ମୀୟ ବାସ ।
ଶୁଭାଶିଷ ପାତି ନାତି ଅଣନାତି
ଜୀବନେ ଅଭୟ ଆଶେ
ଆଶ୍ରା ଦେବା ଅର୍ଥେ ସଂକଳ୍ପର ପଥେ
ଅଦ୍ୟାବଧି ଛନ୍ତି ପାଶେ ।
ଯାହା ଥିଲା ଧନ ସେକାଳେ ସାଧନ
ବୋହିଥିବେ ନିଶ୍ଚେ ମୁଣ୍ଡେ
ତଳେ ଦେଖି ପାଦ ଚିପି ଚିପି ବାଧ୍ୟ
ଝାଳ ପିଇଥିବେ ତୁଣ୍ଡେ ।
ଝାଳରେ ଆସକ୍ତ କେଇ ବୁନ୍ଦା ରକ୍ତ
ଶରୀରୁ ନିଗାଡ଼ି ମଧ୍ୟ
ବୋଝକୁ ନଚାହିଁ ଚିହ୍ନା ଦେବା ପାଇଁ
ଥିଲେ ସେ ସଂକଳ୍ପବଦ୍ଧ ।
ପାଦେ ପାଦେ ମାପି ହାତ ଚିହ୍ନ ଛାପି
ସ୍ବାକ୍ଷର ରଖିଲେ ଛାଡ଼ି
ଉଭାପୋତା ଯାହା ଜଣାପଡେ ତାହା
ଆଗକୁ ଯାଆନ୍ତେ ମାଡି ।
ମାଟି ତଳୁ ମିଳେ ପଥରର ବିଳେ
ଶତାବ୍ଦୀର ବ୍ୟବଧାନେ
ଆମ ବ୍ୟବହାର ପାଇଁ ଉପହାର
ସାଇତା ଥିଲା ସନ୍ଧାନେ ।
ଶିଳାର ବିଗ୍ରହେ କଠୋର ନିଗ୍ରହେ
ରକ୍ଷା କରିବାକୁ ବଂଶ
ବଖାଣି ବି ନୋହି କାଟିବାଠୁ ବୋହି
ଗଢିଥିଲେ ଯେତେ ଅଂଶ ।
ଶିଳାଲେଖ ପରି ସୂଚାଏ କିପରି
ପ୍ରେମମୟ ଯତ୍ନ ମାନ
ଋଣ ପରିଶୋଧ ବଳେ ସତ୍ୟବୋଧ
ରହିଲେ ସିନା ଏକାନ୍ନ ।
ପ୍ରସନ୍ନ କୁମାର ମାଦଳା