ପାଳଭୂତ
ପାଳଭୂତ
ଖରା ନାଇଁ
ବର୍ଷା ନାଇଁ
ଶିତ କି କାକର ନାଇଁ ;
ସେମିତି ଛିଡାଥିବୁ ତୁ,
ଉଜୁଡା କ୍ଷେତଟାକୁ ଚାହିଁ ।
କେଡେ ନିର୍ବିକାରରେ ତୁ ,
ତୋର କି ନିଘା ଅଛି
ଯିଏ ମାନିଲେ ମାନନ୍ତୁ
ନ ମାନିଲେ ନାଇଁ ।
ପ୍ରାଣହୀନ ତୁ ତ
କେଉଁ ଅଛି ଅବା ସତ ସତ
ଆଖି କାନ ହାତ
ଗୋଟାଏ ଭଙ୍ଗା ମାଟି ହାଣ୍ଡି
ଫଟା କାମିଜକୁ
ନଡା ପରେ ଢାଙ୍କି
ଛଜଗେଇଛି ତତେ
ସେ ବୋକା ଚଷା
ସୁଫଳା ଫସଲର କ୍ଷେତ ।
ବାବୁରେ
ଏଠି ହୁରୁଡ ମୁହଁ ଗାଈ ଗୋଠ
ଫଁ ଫଁ ଗର୍ଜନ
ଦେଖା ଦେଖି ଶିଙ୍ଗ
କିଏ କେଡେ , କେତେ ପାରିବାର ।
ସମସ୍ତେ ଜାଣିଲେଣି
ତୁ ନିର୍ଜୀବଟେ ବୋଲି
ଆଖି ନାଇଁ କାନ ନାଇଁ ହାତ ନାଇଁ
ରୋକିବାକୁ ଧାଇଁ ଯିବୁ
ନାଲି ଆଖି ଧରି
ଖାଇଲେ , ଖାଉଥିବେ
ଯେତେ ଇଚ୍ଛା ସେତେ
ଲୋଡା ନାହିଂ ଜାଣିବାର
କାହା ଭାଗ କେତେ
ଲୁଟିଲା ନା ମୂଲିଆର
ମାସ ମାସ ବର୍ଷ ବର୍ଷ ଶ୍ରମ
ଝାଳ ପରି ପୋଛିଗଲାତାଳୁରୁ ଯେତେ
ଜୀବନର ଜୀବିକାର ସ୍ଵପ୍ନ
ତୁ ସେମିତି ଥିଲୁ ସିନା ଛିଡା ।
ଏବେ ରୀତିମତ ହାହା କାର
ଚାଷୀର ଚାଷର
ତୁ କି ଶୁଣିପାରୁ
ମରିଯାଉ ବଉଁଶ ତା
ଦୁଇ ମୁଠା ଅର୍ଣ୍ଣ ପାଇଁ
ଫେରୁଥାଉ ତୋ ଜିମା
ଉଜୁଡା କ୍ଷେତରୁ ।
ତୁ କି ଜାଣିପାରୁ
ତୁ ତ ଗୋଟେ ନିର୍ଜୀବ ପାଳଭୂତ
ଦୁଃଖ ନାଇଁ ସୁଖ ନାଇଁ
ତୁ କି ଚିହନୁ ଭୋକିଲା ପେଟକୁ
ଆଖି ମୁଦି ତୁହି ସିନା
ଏକା ହସିପାରୁ ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା