Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

ମନେପଡେ ସେହି ପିଲାଦିନ

ମନେପଡେ ସେହି ପିଲାଦିନ

1 min
4.0K


ମନେପଡେ ମୋର ପିଲାଦିନ କଥା

ଧୂଳିଖେଳ ବାଲିଘର

ନଦୀତଟ ବାଆ ଆମ୍ବତୋଟା ମଜା

ମାଆର ସଜ ପଖାଳ ॥

ଖରାବେଳେ ଲୁଚି ପୁଆଡାବଳକୁ

ବୋହୂ ଚୋରି ବାଟି ଖେଳ

ମା' କାନ ମୋଡା ଭାରି ମଜା ଲାଗେ

ସତେ ବା ରାଗ ଆଚାର ॥

ମନେ ପଡୁଅଛି ଆଈମା କାହାଣୀ

ଜେଜେଙ୍କର ଗୀତ ଶିଖା

ତୁଳସୀ ଚଉଁରା ମୂଳେ ମୋ ମାଆର

ଦିକି ଦିକି ଦୀପଶିଖା ॥

ତାଳ ପତରର ଘଣ୍ଟା ଓ ପେଁକାଳି

ବରପତ୍ରେ ରାଜାରାଣୀ

ମିଚି ମିଚି ଯାତ୍ରା ପାଲାଖେଳ ଆମ

କ'ଣ କହିବି ବଖାଣି ???

ପୁନେଇଁ ମେଳାରେ ଭାତ ଡାଲ୍ମା ଖିଆ

ହରେ କୃଷ୍ଣ ହରେ ରାମ

ମା' ହିଙ୍ଗୁଳାକୁ ପୂଜାଫୁଲ ଦେଇ

କରୁଥିଲି ଭକ୍ତି ପ୍ରେମ ॥

ବରଷା ରାତିର ସାଧବ ବୋହୂର

ଟୁକୁଟୁକୁ ଥିରିଚାଲି

କେତେ ଭଲ ଲାଗେ କୋଇଲି ସ୍ୱରଟା

ବଗ ଚାଲି ମଖମଲି ॥

ଝିପ୍ ଝିପ୍ ବର୍ଷାରେ ବନିଶୀ ଛଡରେ

ପୋଖରୀର ମାଛଧରା

ଢେଙ୍କିକୁଟା ନାଦ ଶଗଡିଆ ଶବ୍ଦ

ନଟୁଘୁରା କଙ୍କିଧରା ॥

ସାଉଁଟୁଥିଲି ମୁଁ କୁଆପଥରକୁ

ଆଙ୍କୁଥିଲି ଇନ୍ଦ୍ରଧନୁ

ଭୁଲିନି ସେଦିନ ମାଟିଗୁଲି ଗଢା

ବେତ ମାଡ ମୋର ମନୁ ॥

ବରଷା ଜଳରେ କାଗଜ ଡଙ୍ଗା ମୋ

ଡାକୁଥିଲା ସାଧବକୁ

ଟାୟାର ଗଡାଇ ଦୂର ଦେଶ ଖେଳ

ଜହ୍ନ ମାମୁଁ ଦେଖିବାକୁ ॥

ଧାନ ସାଉଁଟା ଓ ମକର ବୁଲାକୁ

ପାଶୋରି ଦେଇନି ମନୁ

ମା' ମାଉସୀଙ୍କ ଶରଧାକୁ ଝୁରେ

ଭୁଲିନି ମୋ ସାଙ୍ଗ ବେଣୁ ॥

କି ଆନନ୍ଦମୟ ଥିଲା ସେହି ଦିନ

ନଥିଲା ହିଂସା କି ଈର୍ଷା

ପ୍ରୀତି ବନ୍ଧନରେ ସ୍ନେହ ଝୁରୁଥିଲା

ଥିଲା ସ୍ୱାଧୀନତା ବର୍ଷା ॥

ଆଜିର କୃତଘ୍ନ ଅମଣିଷ ଭାବ

କରେ ମନକୁ ଅଥୟ

ଅଜ୍ଞାନ ରାଇଜେ ଅଧର୍ମର ରାଜ

ବଞ୍ଚିବା ଲାଗୁଛି ଭୟ ॥

ସେଦିନର ସ୍ମୃତି ଥରାଏ ମନକୁ

ଲୋତକେ ଭରେ ନୟନ

ଗାଁ ମା' ମାଟି କଥା ସ୍ମରି କାନ୍ଦେ

(ଯେବେ) ମନେ ପଡେ ପିଲାଦିନ ॥

ନାରାୟଣ ଚନ୍ଦ୍ର ସେନାପତି*

ଶିକ୍ଷକ,ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ,ତେଲକୋଇ ବ୍ଲକ୍,କେନ୍ଦୁଝର,ପିନ୍-୭୫୮୦୧୯,ଦୂରଭାଷ-୭୯୭୮୩୭୯୯୬୬


Rate this content
Log in