ଖାସ୍ ତୁମରି ପାଇଁ
ଖାସ୍ ତୁମରି ପାଇଁ
***************
ସବୁ ସଞ୍ଜରେ ଲାଗେ
ମୁଁ ମରିଯିବି
ତୁମ ବିନା ନା ସ୍ଵପ୍ନ ଥାଏ ନା ନିଦ ଥାଏ ଏ ଆଖିରେ
ସବୁ ସକାଳେ ଲାଗେ
ଜୀବନ ପାଇଲି ଆଉଥରେ
ଦେଖିବି, ଛୁଇଁବି, ତୁମ ଭିତରେ ହଜିବା ମୋହରେ ।
ଖାସ୍ ତୁମରି ପାଇଁ
ଉଜାଗରରେ ବିତେ ଅନେକ ରାତି,
ଖାସ୍ ତୁମରି ପାଇଁ
ସହିବାକୁ ପଡ଼େ ଟାହିଟାପରା ତାତି,
ଖାସ୍ ତୁମରି ପାଇଁ
ବିଦାରିବାକୁ ହୁଏ ସ୍ମୃତିର ଅଣଲେଉଟା ଛାତି,
ତଥାପି ମାନିଛି ତୁମ କଥା...
ମାନିଛି ବୋଲି ତ
ବହଳେ କଜଳରେ ପୋତି ପକାଏ ଓଦା ଆଖି
ମାନିଛି ବୋଲି ତ
ତୁମବିନା ବି ହସିହସି ଓଠ ପକଉଥାଏ ସାକ୍ଷୀ ।
ଖାସ୍ ତୁମରି ପାଇଁ
ବିନା ଡେଣାରେ ଛୁଉଁଥିଲି ଆକାଶର ଛାତି,
ଖାସ୍ ତୁମରି ପାଇଁ
ଚୁମୁଥିଲି ହସିହସି ତମାମ ଯନ୍ତ୍ରଣାର ତାତି,
ଖାସ୍ ତୁମରି ପାଇଁ
ନିଜ ହାତେ ବଦଳାଇ ଦେଇଥିଲି ମୋ ନିୟତି !!!
ତଥାପି ମାନିଛି ତୁମ କଥା...
ମାନିଛି ବୋଲି ତ
ଚାଲିଛି, ଅଟକିନି ଏଯାଏଁ ମୋ ଥକିଲା ପାଦ
ମାନିଛି ବୋଲି ତ
ବଞ୍ଚିଛି ଏବେବି, ସାଜିଛି ନିଜ କବିତାର ମୁଁ ପଦ ।