ଭିଜନ୍ତି କି ଶ୍ୟାମ ରଙ୍ଗେ
ଭିଜନ୍ତି କି ଶ୍ୟାମ ରଙ୍ଗେ
ବସନ୍ତର ମଳୟ ମରୁତ ,
ଆମ୍ର କୁଞ୍ଜେ କୁହୂତାନେ
ପରଭୃତ ଗୀତ,
ମଦମତ୍ତ ଅଳିର ଗୁଞ୍ଜନ,
ଜଗାଏନା ଅଙ୍ଗେ ଆଉ
ନବୀନ ଉନ୍ମାଦ ॥
ଜୀବନର ସବୁ ରଙ୍ଗ
ଲିଭିଗଲା ପରେ
ଫଗୁଣର ରଙ୍ଗ ଆଜି
ଲାଗେନା ଏ ଅଙ୍ଗେ ॥
ଯମୁନାର ଜଳ ଆଜି
ଦିଶେ ନାହିଁ ନୀଳ,
ଶୁଭେନା କଦମ୍ବ କୁଞ୍ଜୁ
ଶ୍ୟାମ ବଂଶୀ ସ୍ୱନ ॥
ଉଚ୍ଚାଟ ହୁଏନା ଗୋପ
ଗୋପାଙ୍ଗନା ମନ,
ତୁମ ବିନା ଶ୍ୟାମ ସବୁ
ଦିଶଇ ଶ୍ରୀହୀନ ॥
ଝୁରଇ ଯମୁନା ଜଳ
ଝୁରନ୍ତି ବ୍ରଜ ଲଳନା,
ଝୁରନ୍ତି ଗୋପାଳବାଳ
ଫେରିବକି ତୁମେ କାହ୍ନା ?
ଆସନ୍ତନି ଥରୁଟିଏ
ଏ ଜୀବନ ସାୟାହ୍ନରେ
ଶ୍ୟାମରଙ୍ଗେ ଭିଜିବାକୁ
ମାନେନି ଏ ମନ ମନା ॥
ଭିଜନ୍ତି ମୁଁ ମନଭରି
ତୁମ ଦିବ୍ୟ ଶ୍ୟାମ ରଙ୍ଗେ
ଭିଜନ୍ତେ ମୋ ଦେଶବାସୀ
ଲଗାଇ ସେ ରଙ୍ଗ ଅଙ୍ଗେ ॥
ଆସ ଶ୍ୟାମ ଆସ ଥରେ
ଆସ ଆଜି ବ୍ରଜପୁର
ଉଡିବ ରଙ୍ଗ ଅଭିର
ସର୍ବେ ହେବେ ଏକାକାର ॥
ଶୁଭିବ ସେ ବେଣୁ ସ୍ୱନ
ନାଚିବେ ରାଈ କିଶୋରୀ
ପୁଲକିତ ଅପଘନ
ହସ୍ତେ ଧରି ପିଚକାରୀ ॥
ରଚିବ ରଙ୍ଗର ରାସ
ତୁମ ମନ୍ଦ ମନ୍ଦ ହାସ
ସେ ରଙ୍ଗେ ହୁଅନ୍ତି ଲୀନ
ଏଇ ଶେଷ ଅଭିଳାଷ ॥
******