ଜହ୍ନ ବି ହସେ
ଜହ୍ନ ବି ହସେ
ଫିକକରି ହସିଦେଲା
ଜହ୍ନ ମୋତେ ଚାହିଁ,
ମନେହେଲା ନିରବରେ
କହୁଛି ଠାରେଇ-
ଆ..ଆ ଥରେ ମୋ କତିକି
ଦେଖେଇବି ତୋତେ ,
ଅମରାବତୀ ରାଇଜ
ପାରିଜାତ କେତେ ।
ସରଗର ଉପବନେ
ନାନା ଜାଗା ଘୁରି ,
ସାଉଁଟିବୁ ତୋ ସପନ
ଯେତେ ମନ ଭରି ।
ଆଖିରେ ଆଖିଏ କେତେ
ରଚିବୁ କବିତା ,
ସାତରଙ୍ଗେ ରଙ୍ଗେଇବେ
ତାହାକୁ ସବିତା ।
ହଜିଯିବୁ ସେବେ ତୁହି
ଆପଣା ଭିତରେ ,
ମିଠାମିଠା ଅନୁଭବ
କରିବୁ ଏଠାରେ ।
ଫେରିଗଲେ ମରତକୁ
କହିବୁ ଖବର ,
ଜହ୍ନରାଇଜଟା ନୁହେଁ
ଧୂଳି ଓ ଧୂସର ।
ଭରପୁର ସ୍ୱପ୍ନ ସେଠି
ରହିଛନ୍ତି ଚେଇଁ ,
ଏ ରାଇଜବାସୀଙ୍କୁ ତା'
ଅଜାଡ଼ିବା ପାଇଁ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।