ବୃକ୍ଷ ଦେବତା
ବୃକ୍ଷ ଦେବତା
ପ୍ରକୃତି ଶୀତଳ କାରଖାନା ସେ ଯେ
ସବୁଜ ସ୍ୱପ୍ନ ସୁନ୍ଦରୀ,
ସକଳ ପ୍ରାଣୀଙ୍କ ପୋଷଣ ସ୍ଥାନ ସେ
ଅପୂର୍ବା ଗୁଣ ମାଧୁରୀ ।
ଅଙ୍ଗାରକାମ୍ଳ ଓ ବିଷଧୂଆଁ ଶୋଷି
ସ୍ନେହେ ବାଣ୍ଟେ ଅମ୍ଳଜାନ,
ଖାଦ୍ୟ ବସ୍ତ୍ର ଦେଇ ବାସ ସେ ଯୋଗାଏ
କ'ଣ କରିବି ତା ଗାନ ।
ଦାରୁଣ ନିଦାଘେ ଉତ୍ସେଦନ ମଧ୍ୟେ
ବାଷ୍ପ ଗଗନକୁ ଦେଇ,
ଆମନ୍ତ୍ରଣ କରେ ବର୍ଷାରେ ସଲିଳ
ଜୀବଙ୍କ ମୁଖକୁ ଚାହିଁ ।
ମୂଳ ତା'ର ଦମ୍ଭେ ଯୁଦ୍ଧ କରି ରଖେ
ମୃତ୍ତିକା ଓ ପାଖ ବାସ,
ପତ୍ର ଫୁଲ ଫଳ ମୂଳ ଡାଳ ଦେଇ
ସଭିଙ୍କ ଫୁଟାଏ ହସ ।
ରୋଗ ହେଲେ ପଥି ଔଷଧ ଦିଏ ସେ
ସୁସ୍ଥ ରଖେ ପରିବେଶ,
ନିରିମଳ ଯନ୍ତ୍ର ଆସବାବ ଦିଏ
ଦରିଦ୍ର ଆଶା ବିଶ୍ୱାସ ।
କ୍ଳାନ୍ତକୁ ବିଶ୍ରାମ ଅକର୍ମାକୁ ଶ୍ରମ
ନାଉରୀକୁ ଦିଏ ଡଙ୍ଗା,
କ୍ଷେତ ପାଇଁ ବାଡ ଦୋଷୀପାଇଁ ମାଡ
(ସେ)ତ୍ୟାଗପୂତ ଆଶା ଡଙ୍ଗା ।
ମାଆର ପଣତ ହୋଇ ଢାଙ୍କିଦିଏ
ସତେବା ପ୍ରେମର ଛତା ,
ବରଷା ଖରାର କୋପ ଲାଗେନାହିଁ
ଲାଗେ ମଞ୍ଚ ଅଭିନେତା ।
ସମୁଦ୍ର ଜୁଆର ବନ୍ୟାର ଜହର
ଝଡ଼ କିବା ମହାବାତ୍ୟା,
ସଭିଙ୍କ ସାଥିରେ ଯୁଦ୍ଧ କରି ଜିତି
ସାଜେ ଆମ ପ୍ରିୟ ନେତା ।
ସବୁଜ ଘରର ବିପ୍ଲବୀ ସେ ଆମ
ବିଶ୍ୱତାପନର ଶତ୍ରୁ,
କୃଷକର ବନ୍ଧୁ ଅନ୍ନପୂର୍ଣ୍ଣା ସାଜି
ବୋଲାଏ ବିଶ୍ୱର ଗୁରୁ ।
ଆମ ହାତେ ରୋଇ ଆମ ହାତେ ଜୀଇଁ
କରିଲେ ଆଦର ମିତ୍ର,
ପ୍ରଳୟ ବିଧ୍ଵଂସ ଆପେ ହଟିଯିବ
ଏ ତ ସବୁଜର ମାନଚିତ୍ର ।
ନିଃସ୍ୱାର୍ଥ ଅହିଂସ ସବୁ ଦାନ କରି
ବୋଲାଏ ବୃକ୍ଷ ଦେବତା,
ମମତା ଶ୍ରଦ୍ଧା ତା କଳିପାରିବାନି
ଲାଗେ ଆମ ପ୍ରିୟ ମାତା ।