କବାଟ
କବାଟ
*****
ମୁଁ ଯେତେବେଳେ
ସେ ରାସ୍ତା ଦେଇ ଯାଏ
ଆଖି ଆପେ ଆପେ ସ୍ଥିର ହୋଇଯାଏ
ସେ ଦୁଇ ଫାଳ କବାଟ ଉପରେ
କବାଟ କିଛି କହେ
ଉତ୍କଣ୍ଠାରେ
କବାଟର ମୌନ ଭାଷା ପଢୁ ପଢୁ
କବାଟ ଛାତିର କମ୍ପନ ଶୁଣୁ ଶୁଣୁ
ଦିନେ ...
ସେହି ଦୁଇ ଫାଳ କବାଟ ଫାଙ୍କରୁ
ଉଇଁ ଥିଲା
କମନୀୟ ମୁହଁଟିଏ ।
ଯେମିତି , ଦୁଇ ପାହାଡ ଫାଙ୍କରୁ
ପ୍ରଭାତୀର ସ୍ନିଗ୍ଧ ରଶ୍ମି ମୁଠାଏ
ଦୁଇ ଓଠ ଫାଂକରୁ
ସଲ୍ଳଜ ହସ ଚେନାଏ ...
ଯେମିତି , ଦୁଇ ପଲକ ପଟରୁ
ନିରବ ସମ୍ମତିଟିଏ
ଦୁଇ ହାତ ଆଞ୍ଜୁଳା ତଟରୁ
ମୃଦୁ କମ୍ପନ ଖିଏ ।
ଆଜି ବି ମୁଁ ଯାଏ , ସେ ରାସ୍ତାରେ
ଆଖି ମୋ ଅଟକି ଯାଏ
ବଖରା ବଖରା
କୁଟୀକମର ପୁରୁଣା
ସେ ଦୁଇ ଫାଳ କବାଟ ଉପରେ ।
ନିବୁଜ , ନିଃସ୍ପନ୍ଦ
ସତେକି ଜଉମୁଦ ଦିଆ
ପୁରୁଣା ସିନ୍ଦୁକ ଟିଏ
କେବେବି ନ ଖୋଲିବାର
ଅଜଣା ସଂକଳ୍ପ ଟିଏ ,
କ୍ଷଣିକ ପୁଲକ , ମୁହୂର୍ତ୍ତେ ମହକର
ନିରବ ସତ୍ୟ ପାଠଟିଏ ।
*****
ଡ ବିଦ୍ୟୁତପ୍ରଭା ଗନ୍ତାୟତ