ଜୀବନ
ଜୀବନ
ହାତେ ଭୋଗ ଧରି ଭକତି ହୃଦୟେ
ଯାଇଥିଲି ମନ୍ଦିରକୁ
ରାସ୍ତାରେ ପାଇଲି କଙ୍କାଳ ଭିକ୍ଷୁକ
ମାଗୁଥିଲା ଖାଇବାକୁ ll
ଅତି ବିକଳରେ କହୁଥିଲା ସିଏ
ଖାଇବାକୁ ମୁଠେ ଦିଅ
ନଖାଇଲେ ମୋର ଜୀବନ ଯିବ
ମୋ ପ୍ରତି ସହାୟ ହୁଅ ll
ଜୀବନ ମୋହର ଖାଦ୍ୟ ମୁଠେ ପାଇଁ
ଡହଳ ବିକଳ ହୁଏ
ଜୀବନର ମାନେ ତମେ କି ବୁଝିବ
ଗରୀବହିଁ ଦୁଃଖ ପାଏ ll
ଆମ୍ବ କଦଳୀ ନଡ଼ିଆ ସେଓରେ
ଥାଳି ମୋର ଭରିଥିଲା
ମନରେ ଭାବିଲି ମୋ ଥାଳିକୁ ଦେଖି
ଲୋଭ ତାହାର ହୋଇଲା ll
ସେଥିପାଇଁ ବୋଧେ ମାଗୁଅଛି ସିଏ
ମୁଠେ ଦିଅ ଖାଇବାକୁ
ଦେବତାଙ୍କ ଭୋଗ କେମିତି ମୁଁ ଦେବି
ଏହି ଦୀନ ଭିକାରୀକୁ ll
ଭୋଗ ଥାଳି ଧରି ଜଲଦି ଜଲଦି
ମନ୍ଦିରେ ପ୍ରବେଶ କଲି
ଭିଡ଼ ଭିତରେ ଭଗବାନଙ୍କୁ
ହୃଦୟରେ ସୁମରିଲି ll
ମନ୍ଦିର ଭିତରେ ପଥର ମୂରତି
ମୋତେ ଦେଖି ହସୁଥିଲେ
ଯେମିତି ଲାଗିଲା କାନରେ ମୋହର
କିଛି ଗୋଟେ କହିଦେଲେ ll
ଭୋଗଥାଳି ଧରି ଭିଡ଼ ଭିତରୁ
ବାହାରକୁ ଚାଲିଗଲି
କଦଳୀ ଆମ୍ବକୁ ଭିକାରୀକୁ ଦେଇ
ଅତି ଆନନ୍ଦିତ ହେଲି ll
ଜୀବନ୍ତ ଠାକୁର ମନ୍ଦିର ବାହାରେ
ଜୀବନ ସହ ଲଢୁ ଥିଲା
ମୋ ଭୋଗ ଥାଳିରୁ ଅଳ୍ପ ଖାଇ କରି
କେତେ ଆଶୀର୍ବାଦ ଦେଲା ll
ଭୋଗ ଥାଳିକୁ ଧରିକରି ମୁଁହି
ମନ୍ଦିରକୁ ପୁଣି ଗଲି
ଭଗବାନଙ୍କୁ ହାତ ଯୋଡିକରି
କ୍ଷମା ପୁଣି ମାଗିଦେଲି ll
ଜୀବର ଦେହରେ ଜୀବନ ରୂପରେ
ତୁମେ ପରା ରହିଅଛ
ଜୀବେଦୟା ଆଉ ନାମ ବିଶ୍ୱାସରେ
ସଂସାର ଚଳାଉଛ ll
ଦୀନଦୟାଳୁହେ କ୍ଷମା କରିଦିଅ
ବୁଦ୍ଧି ମୋର ଜମାନାହିଁ
ଭୀକ୍ଷୁକର ଦେହେ ତୁମକୁ ଦେଖି
ଅଧା ଦେଇଦେଲି ମୁଁହି ll
ସୁକାନ୍ତି ହୋତା
ତାଳଚେର