ସଫଳତା ମିଳେ ଉଦ୍ୟମ କଲେ
ସଫଳତା ମିଳେ ଉଦ୍ୟମ କଲେ
ଗଜପରେ ଛନ୍ତି ଶ୍ରୀ ଗଜାନନ,
ଆଜି ତାଙ୍କ ଭାରି ହରଷ ମନ ।
ମାତାଙ୍କ ପାଖରୁ ସମ୍ମତି ନେଇ ,
ବାହାରି ଅଛନ୍ତି ଭ୍ରମଣ ପାଇଁ ।
ମୂଷିକ ବିଚରା ପାରିନି ଚଢ଼ି ,
ହାତୀ ଲାଞ୍ଜଟାକୁ ଧରିଛି ଭିଡି ।
ଆଶ୍ୱାସନା ତାକୁ ଦିଅନ୍ତି ପ୍ରଭୁ ,
"ଡରି ଯାଆନା ତୁ ସଫଳ ହେବୁ ।
ଆଗରୁ ଏ କଥା ନାହୁଁକି ଶୁଣି ,
କଷ୍ଟ କଲେ କୃଷ୍ଣ ମିଳନ୍ତି ପୁଣି ।
ଯେତେ ବଡ଼ ପଛେ ସମସ୍ୟା ଥିଲେ,
ସଫଳତା ମିଳେ ଉଦ୍ୟମ କଲେ ।
ଦୁହେଁ ଆସିଛନ୍ତି ମରତ ବୁଲି ,
ଲଡ଼ୁ ଖାଉ ଖାଉ ରହିଲୁ ଭୁଲି ।
ମୋ ସାଥିରେ ଯେବେ ଯିବାକୁ ମନ,
ଆଜିଠାରୁ ରଖ ସମୟ ଧ୍ୟାନ ।
ଯେତେବେଳେ ଯେଉଁ କାମଟି ତୋର,
ସାରିଦେଲେ ହେବୁ ସାଥୀ ମୋହର ।"
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।