ସୁବର୍ଣ୍ଣ ଶଙ୍ଖାଳି
ସୁବର୍ଣ୍ଣ ଶଙ୍ଖାଳି
ସନ୍ତାନଙ୍କ ପାଇଁ ଗର୍ବ ଲାଗେ ମୋତେ
ସେଇ ପରିଭାଷା
ଖୋଜୁଅଛି ହେଲେ
ପାରୁନାହିଁ ବର୍ଣ୍ଣିବାକୁ ।
ଧନ୍ୟ ହେବି ସେବେ,ଯେବେ ମୋ' ନାମରେ
ମୋ'ରି ଶାବକ
ଗର୍ବରେ ଚାଲିବେ
ନିଜ ଯଶ ଲଭିବାକୁ ।
ସେମାନେ ମୋ'ପାଇଁ ସମ୍ମାନର ସୌଧ
ଗର୍ବ,ଗାରିମା
ସଂଗ୍ରାମ,ସଂଘର୍ଷ
ହିରଣ୍ୟକ ଯଉତୁକ ।
ସିଦ୍ଧ ପୁରୁଷ ମୁଁ ତାଙ୍କରି କର୍ମରୁ
ମଥା ଟେକି ଚାଲେ
ଅନା ବନା ବାଟେ
ଫୁଟାଇ ଫୁଲ ମହକ ।
ଦିଗବଳୟରେ ଦିଗଙ୍ଗନା ପରି
ତାଙ୍କ ସେନେହରେ
ଧୂମ୍ରଭ ନହୋଇ
ବର୍ଣ୍ଣାଳି ହୋଇଉଠେ ।
ତାଙ୍କ ସୁବାସ ରେ ବ୍ୟକ୍ତିତ୍ଵ ବଗିଚା
ଶିଶିର ଜଳରେ
ମୁକ୍ତ ଗଗନରେ
ଶ୍ୱେତ ପଦ୍ମ ପରି ଫୁଟେ ।
ହେ ମୋର ଈଶ୍ୱର, ଲୋଡ଼ା ନାହିଁ ମୋର
କୋଠା ପାରିଜାତ
ପାଟ ବଂଶୀ କନ୍ୟା
ହୀରା, ମୋତି,ତୁଚ୍ଛ ଧନ ।
ମୋ'ପାଇଁ ସେମାନେ ସୁବର୍ଣ୍ଣ ସଙ୍ଖାଳି
ତୀର୍ଥର ତାରିଣୀ
ବନ୍ଧା ଏ ଜୀବନ
କର ତା'ଙ୍କୁ କଲ୍ୟାଣ ।